ଭଦ୍ରକ: ଚାକିରି ନାଁରେ ଠକେଇ । ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ ହେଉଥିବା ନେଇ ବିଭିନ୍ନ ସ୍ଥାନରୁ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଭଦ୍ରକରୁ ଏଭଳି ଖବର ସାମ୍ନାକୁ ଆସିଛି । ଏକ ସଂସ୍ଥା ଚାକିରି ଦେବା ନାଁରେ ହଜାର ହଜାର ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବକ ଯୁବତୀ । ଭଦ୍ରକ ଜିଲ୍ଲା ଆରଡି ଛକ ନିକଟରେ ଥିବା ଅସ୍ଥାୟୀ ସଂସ୍ଥା ଏଭଳି ଠକେଇ କରିଥିବା ଜଣାପଡିଛି । ତେବେ ଟଙ୍କା କିଭଳି ଫେରିପାଇବେ ସେନେଇ ଚିନ୍ତାରେ ଯୁବକଯୁବତୀ ।
ଖବର ଅନୁଯାୟୀ, ଭଦ୍ରକ ଆରଡି ଛକ ନିକଟରେ ଖୋଲିଥିବା ଭେନ୍ୟୁ ଅଫ ମେନ କ୍ୟାରିୟର ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ସଂସ୍ଥା ଜାତୀୟକରଣ ବ୍ୟାଙ୍କମାନଙ୍କରେ ଅଫିସର ପଦବୀ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀର ପଦବୀ ପର୍ଯ୍ୟନ୍ତ ପଦ ପଦବୀରେ ନିଯୁକ୍ତି ଦେବାକୁ କହି ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ପଞ୍ଜୀକରଣ ବାବଦରେ ପ୍ରଥମେ 100 ଟଙ୍କା ନେଉଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ସମେତ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ ବେଳେ 250 ଟଙ୍କା ଏବଂ ନିଯୁକ୍ତି ପାଇଁ କଲ ଯିବା ପାଇଁ 5000 ଟଙ୍କା ଦେଲେ ନିଯୁକ୍ତି ପତ୍ର ଦିଆଯିବ ବୋଲି କହି ଟଙ୍କା ଠକୁଥିଲେ।
ଯୁବପିଢି ମଧ୍ୟ ଚାକିରି ଆଶାରେ ଟଙ୍କା ଦେଉଥିଲେ । ହେଲେ ଚାକିରି କଥା ଆସିଲେ ଆଜି କାଲି କହି ଦିନ ଗଡାଉଥିଲେ । ତେବେ ଏନେଇ ଯୁବକଯୁବତୀ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଏହି ଠକ ସଂସ୍ଥା ଉପରେ ଚଢ଼ଉ କରି ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ସହ ଏହି ଠକ ସଂସ୍ଥାର ଅଫିସରେ ତାଲା ଝୁଲାଇ ଦେଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ସଂସ୍ଥାର ମୁଖ୍ୟ ନାୟକ ଭୁବନେଶ୍ବରରେ ରହୁଛନ୍ତି । ଏହାର ଅନ୍ୟ ଏକ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଥିବା ପୋଲିସ ସୂଚନା ପାଇଥିବା ଜଣାପଡ଼ିଛି । ତେଣୁ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି କୁହାଯାଇଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ ବୋଲି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ଅନ୍ୟ ପକ୍ଷରେ ଏହି ସଂସ୍ଥାର ଜଣେ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖି ଅଧିକ ପଚାରା ଉଚରା କରୁଛି ପୋଲିସ ।
ଇଟିଭି ଭାରତ, ଭଦ୍ରକ