ଭଦ୍ରକ: ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ । ଚଳିତ ବର୍ଷ ବିନା କଟକଣାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ । ଏହି ଅବସରରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟପାଲି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥି ସହ ମିଳିତ ପରେଡରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଭିବାଦନ ଗ୍ରହଣ କରିଥିଲେ । ଚଳିତ ବର୍ଷ କୋରୋନା କଟକଣା ନଥିବାରୁ ମହା ସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଜିଲ୍ଲାର ପୋଲିସ ବାହିନୀ ସମେତ ବିଭିନ୍ନ ସ୍କୁଲ ଓ କଲେଜ ପକ୍ଷରୁ ବିଭିନ୍ନ ବର୍ଗର ପରେଡ଼ ଟ୍ରୁପ ସମ୍ମିଳିତ ପରେଡ଼ରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ-ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ, ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ଆଜି ଭୁବନେଶ୍ବରେ ଆୟୋଜିତ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଥିଲା । ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପରେପରେ ପରେଡ ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ କଳାକୌଶଳ ଗାନ୍ଧୀମାର୍ଗରେ ପ୍ରଦର୍ଶିତ ହୋଇଥିଲା। ବାଲେଶ୍ବର, ପୁରୀ, ଜଗତସିଂହପୁରରେ ମଧ୍ୟ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବାଲେଶ୍ବରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ଉତ୍ତୋଳନ କରିଥିଲେ । ପରେ ସ୍କୁଲ ଛାତ୍ରଛାତ୍ରୀ, ପୋଲିସ ବିଭାଗ, ଡିଆରଡିଓ ପକ୍ଷରୁ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ।
ଇଟିଭି ଭାରତ, ଭଦ୍ରକ