ଭଦ୍ରକ: ତିନି ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଶିକ୍ଷକ ସଂଘର ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ । ତିହିଡି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଥିବା ବେଳେ ଶୁକ୍ରବାର ଅପରାହ୍ନରେ ପହଞ୍ଚିଥିଲେ ବିଧାୟକ ।
ଆନ୍ଦୋଳନ ନେଇ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ବିଭିନ୍ନ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ନ୍ୟାର୍ଯ୍ୟ ଦାବିକୁ କଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ପୂରଣ ନିମନ୍ତେ ପ୍ରଶ୍ନ ଉଠାଇବା ସହ ହକ ପୂରଣ କରିବା ପାଇଁ ଦାବି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେପଟରେ ବ୍ଲକର ସମସ୍ତ ସ୍କୁଲରେ ତାଲା ଝୁଲୁଥିବା ବେଳେ ପିଲା ମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏହାରି ମଧ୍ୟରେ ସରକାର ଯଦି ଆନ୍ଦୋଳନକାରୀଙ୍କ ଦାବି ନଶୁଣନ୍ତି ତେବେ ପିଲା ମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ-ସମୂହ ଛୁଟିରେ ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ସୂଚନା ଅନୁଯାୟୀ, ସେପ୍ଟେମ୍ବର 8 ତାରିଖରୁ ତିନି ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଥିଲେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏକ ମାସ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଶିକ୍ଷକ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ୱାନରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହିବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜାରି ରଖିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସ 16 ତାରିଖରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ମାସ ପର୍ଯ୍ୟନ୍ତ ସମୁହ ଛୁଟିରେ ରହିବାକୁ ଚିନ୍ତା କରିଥିବା ବେଳେ ସେ ସମୟରେ ଦାବି ପୂରଣ ହେବ ବୋଲି ଗଣଶିକ୍ଷା ପ୍ରତିଶୃତି ଦେଇଥିଲେ । ଯାହା ଫଳରେ ସ୍ଥଗିତ ରହିଥିଲା ଆନ୍ଦୋଳନ । ମାତ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ତେଣୁ ପୁନର୍ବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।
ଇଟିଭି ଭାରତ, ଭଦ୍ରକ