ଭଦ୍ରକ: କ୍ରମାଗତ ଭାବେ ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଏହି ସଂଖ୍ୟା 106ରେ ପହଞ୍ଚିଥିବା ଜଣା ପଡିଛି । ସୋମବାର ନୂଆ 8 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ସେମାନଙ୍କଠାରେ କୋରୋନାର ଲକ୍ଷଣ ଥିବା ଜଣାପଡିଛି।


ପ୍ରଶାସନ ପକ୍ଷରୁ 4ଟି ସ୍କୁଲରେ ହୋଇଥିବା TMC କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ 3ଟି ପଞ୍ଚାୟତକୁ ବଫର ଜୋନ ଘୋଷଣା କରାଯାଇଛି । ସେହି ସବୁ ସ୍ଥାନକୁ ଯେପରି କୌଣସି ବ୍ୟକ୍ତି ଯିବା ଆସିବା ନକରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ଦିଆଯାଇଛି । ସେହିପରି ଭାବେ ସମସ୍ତ 8 ନୂଆ ପଜିଟିଭଙ୍କ ମଧ୍ୟରୁ 4 ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ, ଜଣଙ୍କର ତେଲେଙ୍ଗାନା ଲିଙ୍କ, ଜଣେ ଆନ୍ଧ୍ରପ୍ରଦେଶ ଲିଙ୍କ ଓ ଅନ୍ୟ 2ଜଣଙ୍କର ଗୁଜୁରାଟ ଲିଙ୍କ ରହିଥିବା ଜଣା ପଡିଛି ।
ସେମାନେ ସମ୍ପୃକ୍ତ ରାଜ୍ୟରୁ ଫେରିବା ପରେ ତୁରନ୍ତ ସେମାନଙ୍କର ଭଦ୍ରକ ସଦର ମହକୁମାରୁ ସ୍ବାବ ସଂଗ୍ରହ କରି ପଠାଯାଇଥିଲା । ତେବେ ବଫର ଜୋନମାନଙ୍କରେ ସର୍ଭିଲାନ୍ସକୁ ଅଧିକ ଗୁରୁତ୍ବ ଦିଆଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ଘୋଷିତ ହୋଇଥିବା 3ଟି ବଫର ଜୋନମାନଙ୍କରେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ