ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକର ଗୋବିନ୍ଦପୁର ଓ ଚାନ୍ଦବାଲି ବ୍ଲକର ନାନ୍ଦପୁର ପଞ୍ଚାୟତ ମଧ୍ୟରେ ବୋହି ଯାଇଥିବା ଗେଙ୍ଗୁଟି ନଦୀରେ ନିର୍ମାଣ ହେବ ସେତୁ । ସେତୁ ସମେତ ଆପ୍ରୋଚ ରୋଡ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏନେଇ ଆୟୋଜିତ ଏକ ଉତ୍ସବରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସେତୁ ନିର୍ମାଣ ହେବା ପରେ ତିହିଡି ବ୍ଲକର ୯ଟି ଓ ଚାନ୍ଦବାଲି ବ୍ଲକର ୨୦ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ସିଧାସଳଖ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣୀ ପୀଠକୁ ଯାଇପାରିବେ । ଯାହାଦ୍ୱାରା ମା’ ଧାମରେଇ, ବାବା ଆଖଣ୍ଡଳମଣୀ ଓ ଯାଜପୁର ଜିଲ୍ଲାର ବିରଜା କ୍ଷେତ୍ର ସହିତ ଗୋଟିଏ ରାସ୍ତାରେ ପରିଣତ ହୋଇପାରିବ ବୋଲି ଜଣାପଡିଛି । ସବୁଠୁ ବଡ କଥା ହେଉଛି ଏହି ସେତୁର ଆପ୍ରୋଚ ରୋଡ ପାଇଁ ସରକାରୀ ରାସ୍ତା ନଥିବା ବେଳେ ସ୍ଥାନୀୟ ଲୋକ ଜମି ଦାନ କରିଛନ୍ତି ଯାହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ସାଜିଛି । ତେବେ ଏହି ସେତୁ ନିର୍ମାଣ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବ ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ