ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୧୦ଟି ହାଇସ୍କୁଲ ତୃତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରିତ ଯୋଜନାରେ ସାମିଲ ହୋଇଛି । ତନ୍ମମଧ୍ୟରୁ ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲ ଓ ମହରମପୁରର ଉମଚରଣ ସହଯୋଗ ହାଇସ୍କୁଲକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଗସ୍ତ କରିଛନ୍ତି । ଏହି ଗସ୍ତରେ ଉଭୟ ବିଦ୍ୟାଳୟର ଭିତ୍ତିଭୂମ ସମୀକ୍ଷା କରିବା ସହିତ ୫-ଟି ରୂପାନ୍ତରିତ ପାଇଁ ଆବଶ୍ୟକ ହେଉଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।
ବିଦ୍ୟାଳୟ ଗୁଡିକୁ କିପରି ଅଧିକ ସରସ ସୁନ୍ଦର କରିହେବ ସ୍ମାର୍ଟ କ୍ଲାସରୁମ୍ ଠାରୁ ଆରମ୍ଭ କରି ଖେଳ ପଡିଆ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଏପରିକି ବଦ୍ୟାଳୟ ପରିସରକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ ଅଚକ ହାଇସ୍କୁଲରେ ପହଞ୍ଚିବା ସମୟରେ ସେଠାରେ ପିଲାମାନଙ୍କ ଭଲିବଲ ଖେଳ ଦେଖି କିଛି ସମୟ ଅଟକି ଯାଇଥିଲେ ଜିଲ୍ଲାପାଳ । ଏହାପରେ ପିଲାଙ୍କ ସହିତ ଖେଳିଥିଲେ ଭଲିବଲ ।
ବିଦ୍ୟାଳୟର ଶିକ୍ଷକ, ଅଭିଭାବକ, ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଜିଲ୍ଲାପାଳ । ପରେ ମହରମପୁର ହାଇସ୍କୁଲ ଯାଇଥିଲେ । ତେବେ ଅଚକ ହାଇସ୍କୁଲରେ ପିଲାମାନଙ୍କ ସହିତ ଜିଲ୍ଲାପାଳଙ୍କ ଭଲିବଲ ଖେଳ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
ଇଟିଭି ଭାରତ, ଭଦ୍ରକ