ଭଦ୍ରକ: ଶେଷରେ ସରପଞ୍ଚ ଦାବି ଆଗରେ ମୁଁଣ୍ଡ ନଇଁଲା ପଞ୍ଚାୟତ ସମିତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଫତେପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଫତେପୁର ପଞ୍ଚାୟତରେ ସମସ୍ୟା ନେଇ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ତାହା ସଫଳ ହେଉନଥିଲା । ତେବେ ନାରାବାଜି , ହଟ୍ଟଗୋଳ ପରେ ଶେଷରେ ବାଧ୍ୟ ହୋଇ ଗୃହ ଅନୁମୋଦନ କରିଥିବା ଜଣାପଡିଛି ।
ସୂଚନାଅନୁସାରେ, ମଙ୍ଗଳବାର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ମଞ୍ଚ ସମ୍ମୁଖରେ ପ୍ରଶାସନ ବିରୋଧୀ ନାରା ଦେଇ ସରପଞ୍ଚ ପ୍ରଦୀପ କୁମାର ବଳ ଅନଶନରରେ ବସିଥିଲେ । ନବ ଗଠିତ ଫତେପୁର ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରସ୍ତାବିତ ଜମିର ଚିହ୍ନଟ ପ୍ରକ୍ରିୟା କରାଯାଉ ନଥିଲା । ଏଥିପାଇଁ ଦାବି ମଧ୍ୟ କରାଯାଉଥିଲା । ଶାସକ ଦଳର ଇସାରାରେ ବିଭିନ୍ନ ଆଳ ଦେଖାଇ ଟାଳି ଚାଲିଥିଲା ପ୍ରଶାସନ । ଦାବି ସତ୍ତ୍ବେ କେହି କର୍ଣ୍ଣପାତ ନକରିବା କାରଣରୁ ଆତ୍ମାହୁତି ଦେବେ ବୋଲି ସରପଞ୍ଚ ଚେତାବନୀ ଦେଇଥିଲେ । ଜମି ଚିହ୍ନଟ କରାଯିବା ପାଇଁ ତହସିଲଦାର ଲିଖିତ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ବିଜେପି ସମର୍ଥିତ ସମସ୍ତ ଜନପ୍ରତିନିଧୀମାନେ ପ୍ରଶାସନ ବିରୋଧି ସ୍ଲୋଗାନ ଦେଇଥିଲେ । ଏଥିସହ ଆବାସ ଯୋଜନା ଚିଠା ମୂଳେ ସାନି ତଦନ୍ତ କରିବା ଲାଗି ସେମାନେ ଦାବି କରିଥିଲେ । ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: Budget 2023: କାଉଣ୍ଟଡାଉନ ଆରମ୍ଭ, ୧୧ଟାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ଫତେପୁର ସରପଞ୍ଚଙ୍କ ଦାବିକୁ ଉପସ୍ଥିତ ସମସ୍ତ ଦଳର ସମର୍ଥିତ ଜନପ୍ରତିନିଧୀମାନେ ସହମତି ଦେବା ସହିତ ଏହି ଘଟଣାକୁ ସଂକଳ୍ପରେ ସ୍ଥାନିତ କରିବା ଲାଗି ଦାବି ହୋଇଥିଲା । ଯାହାକୁ ଶେଷରେ ବାଧ୍ୟ ହୋଇ ଗୃହ ଅନୁମୋଦନ କରିଥିବା ଜଣା ପଡ଼ିଛି । ଶେଷରେ ଜିଲ୍ଲା ପ୍ରଶାସନର ଅନୁମତି ପାଇଁ ଦୁଇଦିନ ମଧ୍ୟରେ ଚିଠି ପ୍ରଦାନ କରାଯିବ ବୋଲି ତହସିଲଦାରଙ୍କ ପକ୍ଷରୁ ଲିଖିତ ଦିଆଯିବା ପରେ ବୈଠକ ଆରମ୍ଭ ହୋଇଥିଲା । ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ସମେତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସାଂସଦଙ୍କ ପ୍ରତିନିଧି, ତହସିଲଦାର ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।
ଏନେଇ ଭାରପଟା ସରପଞ୍ଚ କହିଛନ୍ତି, "ଫତେପୁର ସରପଞ୍ଚଙ୍କ କାର୍ଯ୍ୟାଳୟ ନାହିଁ । ତେଣୁ ଆମେ ଦାବି କରୁଛୁ ୨୦ ଦିନ କି ମାସେ ଭିତରେ କାର୍ଯ୍ୟାଳୟ ନିରୂପଣ କରିବା ପାଇଁ ସରପଞ୍ଚକୁ ଲିଖିତ ଆକାରରେ ଏକ ପତ୍ର ଦିଅନ୍ତୁ ।"
ଇଟିଭି ଭାରତ, ଭଦ୍ରକ