ଭଦ୍ରକ: ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ଏହାକୁ ମଧ୍ୟ ବିଜେପି ପକ୍ଷରୁ କଳାପତାକା ଦେଖାଇ ଜୋରଦାର ବିରୋଧ କରାଯାଇଛି । ବିଜେପିକର୍ମୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା ।
ସ୍ଥିତି ନିୟନ୍ତ୍ରଣାଧୀନ ନହେବାରୁ ବିଜେପିର ଶତାଧିକ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭଯୋଗ ହୋଇ ଆସୁଛି । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବିଜେପି କର୍ମୀମାନେ ଭଦ୍ରକ ସହରାଞ୍ଚଳ ନୂଆବଜାରଠାରୁ କଳା ପତାକା ଦେଖାଇ ସଭାସ୍ଥଳ ଅଭିମୁଖେ ବାହାରି ଥିଲେ। ଏହି ସମୟରେ ବିଜେପିର ଶତାଧିକ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା ।
ଗୁରୁବାର ଅପରାହ୍ଣରେ ଭଦ୍ରକ ଜିଲ୍ଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ