ଭଦ୍ରକ: ପ୍ରେମ ବିବାହର କରୁଣ ପରିଣତି । ଶାଶୁ ଘର ଲୋକେ ବୋହୂକୁ କିରୋସିନ ଢାଳି ନିଆଁ ଲଗେଇ ମାରି ଦେଇଥିବା ଅଭିଯୋଗ। ଭଦ୍ରକ ଜିଲ୍ଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧିନ ବାରୋ ଗ୍ରାମରେ ଏହିପରି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଖବର ଅନୁଯାୟୀ ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ସାତ ବର୍ଷ ପରେ ସ୍ବାମୀ ସମେତ ଶ୍ବଶୁର ଘର ଲୋକେ ତାଙ୍କୁ କିରୋସିନ ଢାଳି ନିଆଁ ଲଗେଇ ମାରି ଦେଇଥିବା ଅଭିଯୋଗ ହୋଇଛି ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତା ମହିଳା ଜଣକ ହେଲେ ଦୀପକ ମହାଳିଙ୍କ ସ୍ତ୍ରୀ ରୂପାଲି ନାୟକ । ଭାଟପଡା ପଞ୍ଚାୟତ ଶଙ୍ଖିଡା ଗ୍ରାମର ଧନେଶ୍ବର ନାୟକଙ୍କ ଝିଅ ରୂପାଲି । ସାତ ବର୍ଷ ତଳେ ବାରୋ ଗ୍ରାମର ନରେନ୍ଦ୍ର ମହାଳିକଙ୍କ ପୁଅ ଦୀପକ ମହାଳିକଙ୍କୁ ସେ ପ୍ରେମ ବିବାହ କରିଥିଲେ ।
ବିବାହର କିଛିଦିନ ପରେ ରୂପାଲିଙ୍କୁ ବିଭିନ୍ନ ପ୍ରକାରର ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା ବୋଲି ବାପ ଘର ଅଭିଯୋଗ କରିଛନ୍ତି । ସମାଧାନ ପାଇଁ ବାପଘର ଉଦ୍ୟମ କରିଥିଲେ ମଧ୍ୟ ଜ୍ବାଇଁ ଦୀପକ କେବେ ସୁଯୋଗ ଦେଉନଥିଲା । ଏପରିକି ରୂପାଲିକୁ ତାଙ୍କ ବାପ ଘରକୁ ଯିବାକୁ ଛାଡୁନଥିଲା ବୋଲି ଜଣାପଡିଛି ।
ରୂପାଲିର ହାତଗୋଡ ବାନ୍ଧି ତାର ସ୍ବାମୀ ଓ ଅନ୍ୟମାନେ ନିଆଁ ଲଗେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିଜକୁ ବଞ୍ଚାଇବା ପାଇଁ ରୂପାଲି ତାଙ୍କ ସ୍ବାମୀଙ୍କୁ ଜାବୁଡି ଧରିଥିଲେ । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ସ୍ବାମୀ ଆହତ ହୋଇଥିବା ବେଳେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲା। ଏନେଇ କୌଣସି ସୂତ୍ରରୁ ଖବର ପାଇ ରୂପାଲିଙ୍କ ମାଆ କଳ୍ପନା ନାୟକ ଯାଇଥିଲେ।
ଆମ୍ବୁଲାନ୍ସରେ ମୂମୁର୍ଷ ଅବସ୍ଥାରେ ଝିଅକୁ ମେଡିକାଲ ନିଆଯାଉଥିବାର ଦେଖିବାକୁ ପାଇଥିଲେ ମାଆ କଳ୍ପନା। ତାଙ୍କୁ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ରୂପାଲିଙ୍କ ପରିବାର ପକ୍ଷରୁ ତିହିଡି ଥାନାରେ ଏତଲା ଦିଆଯାଇଛି । ମାଆ କଳ୍ପନା ନାୟକଙ୍କ ଏତଲାକ୍ରମେ ତିହିଡ଼ି ଥାନାରେ ଏକ ମାମଲା ୪୨୨/୨୧, ଦଫା ୪୯୮(ଏ), ୩୦୪(ବି), ୩୦୨, ୫୦୬ ଓ ୩୪ IPC ଏବଂ ୪ ଡିପି ଆକ୍ଟ ରୁଜୁ ହୋଇଛି । ମୃତା ରୂପାଲିର ଦୁଇଟି ସନ୍ତାନ ଥିବା ଜଣାପଡିଛି । ତେବେ ହତ୍ୟାକାରୀଙ୍କୁ କଠୋର ଦଣ୍ଡାଦେଶ ପାଇଁ ଦାବି କରିଛନ୍ତି ବାପ ଘରଲୋକେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ