ଭଦ୍ରକ: ଜିଲ୍ଲାରେ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଅଧୀନରେ କୁମ୍ଭୀର ଗଣନା ଶେଷ ହୋଇଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଡିଭିଜନର ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀରୁ ମୋଟ ୬୨ଟି ମାଇ ଓ ଅଣ୍ଡିରା କୁମ୍ଭୀର ଗଣନା କରାଯାଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ହେଲେ ଏବର୍ଷ ଗୋଟିଏ ବିରଳ ପ୍ରଜାତିର ଧଳା (ବଉଳା) କୁମ୍ଭୀର ଠାବ କରାଯାଇଛି ।
ଏହି ଗଣନା କାର୍ଯ୍ୟରେ ଭଦ୍ରକ ଜିଲ୍ଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି ଡିଭିଜନ ପକ୍ଷରୁ ସ୍ବତନ୍ତ୍ର ଭାବେ ୨ଟି ଟିମ ସହ ଜିଲ୍ଲା ବନଖଣ୍ଡ ଅଧିକାରିଣୀ ସାମିଲ ହୋଇଥିଲେ । ୨୦୧୯-୨୦ ବର୍ଷରେ ୫୨ଟି କୁମ୍ଭୀର ଗଣନା ହୋଇଥିବା ବେଳେ ଏଥିରେ ୨୦୨୦-୨୧ ବର୍ଷରେ ୩ଟି ନଦୀରୁ ୬୨ଟି କୁମ୍ଭୀର ଗଣନା କରାଯାଇଛି । ଯାହାକି ପୂର୍ବବର୍ଷ ଅପେକ୍ଷା ୧୦ଟି ଅଧିକ କୁମ୍ଭୀର ଠାବ କରାଯାଇଛି ବୋଲି ଚାନ୍ଦବାଲି ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ସୁବାସ ଚନ୍ଦ୍ର ନାୟକ ସୂଚନା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ