ଭଦ୍ରକ: ମଇ ୩ ପାଳିତ ହେବାକୁ ଥିବା ଇଦ ଉଲ୍-ଫିତର୍ ପର୍ବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏସପି ଚରଣ ସିଂ ମୀନା, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଯୋଗ ଦେଇଥିଲେ ।
ବିଶାଳ ଶୋଭାଯାତ୍ରା, ଭରପୁର ଦର୍ଶକଙ୍କୁ ନେଇ ଗତ ରାମ ନବମୀ ପର୍ବ ପାଳନରେ ମୁସଲମାନ ଜନସାଧାରଣ ଯେଉଁ ଅଭୂତପୂର୍ବ ସହଯୋଗ କରିଥିଲେ ତାହାର ପଟ୍ଟାନ୍ତର ନାହିଁ । ଯାହାକି ଭଦ୍ରକରେ ନିଆରା ଭାଇଚାରାକୁ ପ୍ରମାଣିତ କରିଛି ବୋଲି ଜିଲ୍ଲାପାଳ ବୈଠକରେ କହିଛନ୍ତି । ଏଥି ସହିତ ଆସନ୍ତା ଇଦ୍ପର୍ବ ସେହିଭଳି ହିନ୍ଦୁମାନଙ୍କ ସହଯୋଗ ନେଇ ହସ ଉଲ୍ଲାସରେ ପାଳନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ । ଭଦ୍ରକରେ ହିନ୍ଦୁ ମୁସଲିମ୍ ଭାଇଚାରାର ଯେଉଁ ସୁନାମ ସାରା ବିଶ୍ବପାଇଁ ରହିଛି ତାହା ସବୁ ପର୍ବ ପାଳନରେ ଅନୁଷ୍ଠିତ ରହୁ ବୋଲି ଏସପି କହିଛନ୍ତି ।
ଯେହେତୁ ଜହ୍ନ ଦେଖୁ ପବିତ୍ର ରମଜାନ୍ ମାସ ଆରମ୍ଭ କରାଯାଇଥାଏ ଏବଂ ପୁଣି ଜହ୍ନ ଦେଖି ଏହି ରମ୍ଜାନ ଉପବାସ ସମ୍ପନ୍ନ ଇଦ୍ ପର୍ବ ପାଳନ କରାଯାଏ । ତେଣୁ ଜହ୍ନର ଦୃଶ୍ୟମାନ ଅନୁଯାୟୀ ଏହି ଇଦ୍ ପର୍ବ ଆସନ୍ତା 3 କିମ୍ବା 4 ତାରିଖରେ ପାଳନ କରାଯିବ ପୂର୍ବରୁ ତାହା ଜଣାଇ ଦିଆଯିବ ବୋଲି ମୁସଲିମ୍ ଜମାତ୍ର ସଭାପତି ମହମ୍ମଦ ଅବଦୁଲ ବାରି ବୈଠକରେ କହିଛନ୍ତି । ଏଥିସହ ଏହି ପର୍ବ ପାଳନ ଉପଲକ୍ଷେ ଶାନ୍ତି ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ପୋଲିସ୍ ମୁତୟନ ଓ ପୋଲିସ୍ ପାଟ୍ରୋଲିଂ ବ୍ୟବସ୍ଥା ସମ୍ବନ୍ଧରେ ବୈଠକରେ ଡ଼ିଏସପି, ଡ଼ିଆଇବି କମଳ ଲୋଚନ ଭୂୟାଁ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ