ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପଘର ଲୋକେ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଆରୁହା ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଅନିତା ନାୟକ ।
ସୂଚନା ଅନୁଯାୟୀ ଗ୍ରାମର ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ବାଲେଶ୍ୱର ବାଙ୍ଗୁରପଦା ଗ୍ରାମର ଉମାକାନ୍ତ ନାୟକଙ୍କ ଝିଅ ଅନିତା ନାୟକଙ୍କୁ ଗତ ସାତ ମାସ ତଳେ ବିବାହ କରିଥିଲେ । ବିବାହର ଚାରିମାସ ପରେ ସୌଭାଗ୍ୟ ବେଙ୍ଗାଲୁରୁ କାମ କରିବା ପାଇଁ ଯାଇଥିଲେ । ତେବେ ଗତକାଲି ହଠାତ ଅନିତାଙ୍କ ମୃତ୍ୟୁ ହୋଇଥିବା ବାପଘର ଲୋକେ ଖବର ପାଇଥିଲେ ।
ଏନେଇ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ଅନିତାଙ୍କୁ କିଏ ହତ୍ୟା କଲା ଓ ଏହା ପଛରେ କଣ ରହିଛି କାରଣ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ