ଭଦ୍ରକ: ସମ୍ପତ୍ତି ଲୋଭରେ ବୃଦ୍ଧାକୁ ନୃଶଂସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ତିହିଡ଼ି ଥାନା ଅଧିନ ହାଟୁଆରୀ ଗାଁରେ । ସମ୍ପତ୍ତି ହାତେଇବା ପାଇଁ ବିଧବା ବୃଦ୍ଧାଙ୍କୁ ଶ୍ବଶୁର ଘର ଲୋକେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ଚନ୍ଦିନୀ ମହାଳିକ । ଗତକାଲି ଶାଶୁ ଘରଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଅପରାହ୍ନ ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ହତ୍ୟାକାଣ୍ଡରେ 13 ଜଣଙ୍କର ସଂପୃକ୍ତି ଥିବାନେଇ ବୃଦ୍ଧାଙ୍କ କକାଙ୍କ ପୁଅ ପ୍ରତାପ ମହାଳିକ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ହାଟୁଆରୀ ଗାଁର ଚନ୍ଦିନୀ ମହାଳିକ ଭୈରବ ମହାଳିକଙ୍କୁ ବିବାହ କରିଥିଲେ । ଗତ ଦେଢ ମାସ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର କୌଣସି ସନ୍ତାନ ନଥିବାରୁ ସମ୍ପତ୍ତିକୁ ହାତେଇବା ଲୋଭରେ ଶ୍ବଶୁର ଘର ଲୋକେ ବୃଦ୍ଧା ଚନ୍ଦିନୀଙ୍କୁ ବିଭିନ୍ନ ସମୟରେ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ସମ୍ପତ୍ତିର ଦଲିଲ କରିବା ଲାଗି ବାଧ୍ଯ କରୁଥିଲେ । କିନ୍ତୁ ବୃଦ୍ଧା ଜଣଙ୍କ ରାଜି ନହେବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିବା ବେଳେ ଗତକାଲି ଏହି ହତ୍ୟାକାଣ୍ଡ ଘଟାଇ ଶ୍ବଶୁର ଘର ସମ୍ପର୍କୀୟ ମାନେ ଫେରାର ହୋଇଯାଇଥିଲେ।
ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରାଯାଇଥିବା ବେଳେ ତାଙ୍କ ଜଙ୍ଘ ଓ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଛି । ଯାହା ହତ୍ୟାକାଣ୍ଡର ପ୍ରମାଣ ବୋଲି ବୃଦ୍ଧାଙ୍କ କକାଙ୍କ ପୁଅ ଅଭିଯୋଗରେ ଦର୍ଶାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି । ତେବେ ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ