ଭଦ୍ରକ: ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧା ସ୍ଥିତ ଏକ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ପାଖରୁ ଲୁଟ୍ ହୋଇଥିବା 12 ଲକ୍ଷ 9 ହଜାର ଟଙ୍କା ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ 4 ତାରିଖ ଗ୍ୟାସ ଏଜେନ୍ସି କର୍ମଚାରୀ ପ୍ରମୋଦ ସାହୁ ବାଇକ ଯୋଗେ ବ୍ୟାଙ୍କକୁ ଟଙ୍କା ନେଇ ଆସୁଥିବା ବେଳେ ଜିଞ୍ଝାରପୁର ରେଳପଥ ଲେବୁଲ୍ କ୍ରସିଂ ନିକଟରେ ଏକ ଆପାଚି ବାଇକରେ 3 ଜଣ ଆସି ତାଙ୍କୁ ଭୁଜାଲୀରେ ହାଣି ଟଙ୍କା ଲୁଟ୍ କରିଥିଲେ ।
ଗ୍ୟାସ ଏଜେନ୍ସିର ସିସି କ୍ୟାମେରାରୁ ସଂପୃକ୍ତ ଲୁଟେରାଙ୍କ ସମ୍ପର୍କରେ ପୋଲିସ ସୁରାକ ପାଇ ତଦନ୍ତ ଚଳାଇଥିଲା । ଏଥିସହିତ ମୋବାଇଲ୍ କଲ୍ ରେକଡିଂ ଓ ଟ୍ରାକିଂ ଯୋଗେ 5 ଜଣ ଲୁଟେରା ସାମିଲ ହୋଇଥିବା ଜଣାପଡିଥିଲା । ସୁପରିକଳ୍ପିତ ଭାବେ ଭଦ୍ରକ, ବାସୁଦେବପୁର ଓ ସୋର ଅଞ୍ଚଳର 5 ଜଣ ଯୁବକ ଏପରି ଲୁଟ୍ କରିବା ଲାଗି ଯୋଜନା କରିଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରି 3 ଜଣଙ୍କୁ ପୋଲିସି ଗିରଫ କରିଥିବା ବେଳେ ଆଉ 2 ଜଣ ଫେରାର ଥିବା ସୂଚନା ମିଳିଛି ।
ଗୁରୁବାର ଏହି 3 ଜଣଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା କହିଛନ୍ତି ଅତିରିକ୍ତ ଏସପି କୈଳାସ ଚନ୍ଦ୍ର ପରିଡା । ଲୁଟେରାଙ୍କ ଠାରୁ 2 ଲକ୍ଷ 76 ହଜାର ଟଙ୍କା ଜବତ ହୋଇଥିବା ବେଳେ ଲୁଟ୍ ସମୟରେ ବ୍ୟବହୃତ ଆପାଚି ବାଇକ୍ ଓ ଅନ୍ୟ 2 ଟି ବାଇକକୁ ଜବତ କରିଛି ପୋଲିସି । ଆଗାମି ଦିନରେ ଏହି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ