ବରଗଡ: ବାହାରୁ ଟିକିଏ ଆସୁଛି... ମାଆକୁ ଏପରି କହି ଘରୁ ଗୋଡ କାଢିଥିଲା ପୁଅ । କିନ୍ତୁ ପୁଅ ଗଲା ଯେ ଗଲା ଆଉ ଫେରିଲା ନାହିଁ । ପୁଅତ ଫେରିଲା ନାହିଁ କିନ୍ତୁ ଆସିଲା ମୃତ୍ୟୁ ଖବର । ପୁଅର ମୃତ୍ୟୁ ହୋଇଥିବା ଜାଣିବା ପରେ ଦୁଃଖରେ ଫାଟି ପଡୁଛି ମାଆର ଛାତି । ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲାର 1 ନମ୍ବର ଓ୍ବାର୍ଡରେ । ମୃତକ ଜଣଙ୍କ ହେଉଛନ୍ତି ନିଲିବନ୍ଧପଡ଼ାର ରାକେଶ ପ୍ରଧାନ । ଗତକାଲି ଭୋର ସମୟରେ ତାଙ୍କର ମୃତଦେହ କେଶବ ନଗରରେ ଦେଖିବାକୁ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ-ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ରାକେଶ ପ୍ରଧାନ ଘରେ ତାଙ୍କ ମାଆଙ୍କୁ ଟିକେ ଆସୁଛି କହି ଘରୁ ବାହାରିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଗତକାଲି(ଗୁରୁବାର) ତାଙ୍କର ମୃତଦେହ କେଶବ ନଗରରେ ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରାକେଶଙ୍କ ବେକ ଓ ମୁଣ୍ଡରୁ ରକ୍ତଶ୍ରାବ ହେଉଥିବା ବେଳେ ନିକଟରେ ଥିବା ଏକ ବାଲିଗଦାରେ ମାରଣାସ୍ତ୍ର ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ଅନୁସନ୍ଧାନି କୁକୁର ଏବଂ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରି ରାକେଶଙ୍କୁ ହତ୍ୟାକାଣ୍ଡ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା ।
ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ କିଏ ଓ କାହିଁକି କେଉଁ କାରଣକୁ ରାକେଶଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରି 3 ଜଣଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି । ମୃତ ରାକେଶ ପ୍ରଧାନର ମୃତଦେହ ଯେଉଁ ସ୍ଥାନରୁ ଉଦ୍ଧାର କରାଯାଇଛି ଗତ ଏକ ବର୍ଷ ତଳେ ତାଙ୍କ ବାପାଙ୍କ ମୃତଦେହ ମଧ୍ୟ ସେହି ସ୍ଥାନରୁ ଉଦ୍ଧାର କରାଯାଇଥିଲା ।
ରାକେଶ ନିଜେ ହେମାଳି କାମ କରି ପରିବାର ଚଲାଉଥିବା ବେଳେ ତାଙ୍କ ଦୁଇ ଜଣ ଭାଇ ଭଉଣୀ ମଧ୍ୟ ରହିଛନ୍ତି । ପୁଅର ଏପରି ହତ୍ୟା ଘଟଣା ପଛର ରହସ୍ୟ ସାମ୍ନାକୁ ଆଣିବାକୁ କହିଛନ୍ତି ମୃତକଙ୍କ ମାଆ । ଅନ୍ୟପଟେ ଗତ ପାଞ୍ଚ ଦିନ ବ୍ୟବଧାନରେ ବରଗଡ଼ ଟାଉନରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣାକୁ ନେଇ ବରଗଡ଼ବାସୀ ଭୟଭୀତ ହୋଇପଡିଛନ୍ତି । ଗତ 15 ତାରିଖରେ ବରଗଡର 11 ନମ୍ବର ୱାର୍ଡ଼ରୁ ଏକ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ଓ 3 ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ଏହି ଘଟଣାକୁ 5 ଦିନ ହୋଇଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । 5 ଦିନ ମଧ୍ୟରେ ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ ।
ଇଟିଭି ଭାରତ,ବରଗଡ