ବରଗଡ: ସ୍ବାମୀର ଗାଡି ଧକ୍କାରେ ସ୍ତ୍ରୀର ମୃତ୍ୟୁ। ହତ୍ୟା ଅଭିଯୋଗ ପରେ ଥାନାରେ ଅଟକ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବନ୍ଦା ଗ୍ରାମରେ । ମୃତ ମହିଳା ହେଉଛନ୍ତି ବନ୍ଧା ଗ୍ରାମର ହୀରାଜନ ଭଗତଙ୍କ ସ୍ତ୍ରୀ ଜଗରାନୀ ତିର୍କୀ । ସୂଚନା ଅନୁଯାୟୀ ବନ୍ଧା ଗ୍ରାମରେ ସ୍ବାମୀ ହୀରାଜନ ଭଗତକଙ୍କ ବୋଲେରୋ ଧକ୍କାରେ ଜଗରାନୀଙ୍କ ମୃତ୍ୟୁ ହୋଇଛି ।
ଏନେଇ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ସହ ଏହା ଦୁର୍ଘଟଣା ନୁହେଁ ବରଂ ଜାଣିଶୁଣି ହୀରାଜନ ନିଜ ସ୍ତ୍ରୀକୁ ଗାଡ଼ିରେ ଧକ୍କା ଦେଇ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହୀରାଜନ ଭଗତକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସର ତଦନ୍ତ ପରେ ଏହା ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟା ତାହା ସ୍ପଷ୍ଟ ହେବ ।