ବରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ବିରୋଧରେ ତେଜିଲା ସ୍ବର । ବରଗଡ-ବଲାଙ୍ଗୀର ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଶତାଧିକ ବୁଣାକାର । ବରଗଡ ବ୍ଲକ ଅନ୍ତର୍ଗତ ବେହେରା ବଜାର ଠାରେ ସମ୍ବଲପୁରୀ କପଡା ବଜାରର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ବେହେରା ବଜାର ନିକଟରେ ସରକାର ବୁଣାକାରମାନଙ୍କ ପାଇଁ ଏକ ନୂତନ ବଜାର ନିର୍ମିତ କରିଥିବାର ପ୍ରକଳ୍ପ ରହିଛି । ହେଲେ ନୂତନ ବଜାରରେ ଛୋଟିଆ ବୁଣାକାରମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନଥିବା ଅଭିଯୋଗ କରିଛନ୍ତି କ୍ଷୁଦ୍ର ବୁଣାକାରମାନେ । ତେବେ ମା’ ସମଲେଶ୍ୱରୀ ସମ୍ବଲପୁରୀ କପଡ଼ା ବଜାର ବୁଣାକାର ସଂଘ ପ୍ରଶାସନର ସେହି ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ରାସ୍ତା ଉପରେ ବସି ଆନ୍ଦୋଳନ କରିଥିଲେ ।
ଅଧିକ ପଢ଼ନ୍ତୁ: Opposition Unity: ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିଲେ ନୀତିଶ, ନବୀନ କହିଲେ ତୃତୀୟ ସାମ୍ମୁଖ୍ୟ ସାମ୍ଭାବନା ନାହିଁ
ମା’ ସମଲେଶ୍ୱରୀ ସମ୍ବଲପୁରୀ କପଡ଼ା ବଜାର ବୁଣାକାର ସଂଘ ନେତୃତ୍ୱରେ ବରଗଡର ଶତାଧିକ ବୁଣାକାର ବେହେରା ବଜାର ସମ୍ମୁଖରେ ଏକତ୍ରିତ ହେବା ସହିତ ରାସ୍ତାରୋକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ବରଗଡ଼-ବଲାଙ୍ଗୀର ୨୦୧ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ବୁଣାକାରମାନକ ସୁବିଧା ପାଇଁ ନିର୍ଭର ପ୍ରତିଶ୍ରୁତି ଦିଆଯାଇ ଉଭୟ ପକ୍ଷର ଆଲୋଚନା ପରେ ବୁଣାକାରମାନେ ଆନ୍ଦୋଳନରୁ ଓହରିଥିଲେ ।
ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ମା’ ସମଲେଶ୍ୱରୀ ସମ୍ବଲପୁରୀ କପଡ଼ା ବଜାର ବୁଣାକାର ସଂଘ ପକ୍ଷରୁ ଉପସ୍ଥିତ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବେହେରା ବଜାର ପ୍ରାଙ୍ଗଣରେ ରହିଥିବା ସର୍ବପୁରାତନ କପଡ଼ା ବଜାରକୁ ଉଚ୍ଛେଦ କରାଗଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବୁଣାକାରମାନେ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ । ତେବେ ପୂର୍ବରୁ ବୁଣାକାରମାନେ ପ୍ରଥମେ ବରଗଡ ଟାଉନରେ ସମ୍ବଲପୁରୀ ଶାଢୀ ବିକ୍ରି କାରବାର କରୁଥିଲେ । ହେଲେ ସେଠାରେ ଲୁଟେରା ଓ ଦୁର୍ବୃତ୍ତଙ୍କ ଶିକାର ହୋଇ ବୁଣାକାରମାନେ ବେହେରା ବଜାରରେ ଶାଢି ବିକ୍ରି କଲେ । ଧୀରେ ଧୀରେ ଏକ ବଡ ଧରଣର ସମ୍ବଲପୁରୀ ଶାଢୀ ବଜାର ଗଢିଉଠିଥିଲା ।
ଇଟିଭି ଭାରତ, ବରଗଡ