ବରଗଡ଼: ଆସିନାହିଁ ଗ୍ରୀଷ୍ମଋତୁ ହେଲେ ଲୋକଙ୍କ ପାଇଁ ଏବେ ଠାରୁ ଆରମ୍ଭ ହେଲାଣି ଜଳକଷ୍ଟ । ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ପ୍ରକଳ୍ପ ନିର୍ମାଣ କରିଥିବା ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକ ଅଭାବ ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅଇଁଲାପାଲି ପଞ୍ଚାୟତର ତିନିଖଣ୍ଡ ଗ୍ରାମର ଲୋକେ ପାଣି ପାଇଁ ହେଉଛନ୍ତି ଡହଳ ବିକଳ ।
ଆସିନାହିଁ ଗ୍ରୀଷ୍ମଋତୁ, ହେଲେ ଏବେଠାରୁ ଦେଖାଦେଲାଣି ଜଳକଷ୍ଟ । ନଳକୂପ ଅଛି, ହେଲେ ବାହାରୁନି ଭଲ ପାଣି । ଷ୍ଟାଣ୍ଡ ପୋଷ୍ଟ ବି ବସିଛି ହେଲେ ୨ ବର୍ଷ ହେବ ଆସୁନି ପାଣି । ଗାଁରେ ପାଇପ ବିଛା ଯାଇଛି, ବଡ ବଡ ଟାଙ୍କି ବସିଛି । ହେଲେ ମେସିନ ଖରାପ ଯୋଗୁଁ କୂଅ ଓ ନଳକୂଅରେ ପାଣି ନେବା ପାଇଁ ମହିଳାଙ୍କ ଚାଲିଛି ପ୍ରତିଯୋଗୀତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅଇଁଲାପାଲି ପଞ୍ଚାୟତର ଧୂବେନପାଲି, ଗୁରୁପାଳି ଏବଂ କଟାପାଳି ଗାଁର । ବାରମ୍ବାର ଅଭିଯୋଗ ହେଲା ପରେ ଫଳ ଶୂନ୍ୟ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି ।
ପ୍ରାୟ ୧୮ ଶହ ଜନସଂଖ୍ୟା ବିଶିଷ୍ଠ ଏହି ତିନିଖଣ୍ଡ ଗାଁକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଜାଣ୍ଡୋଲ ଜୀରା ନଦୀରୁ ସିଧାସଳଖ ଧୂବେନପାଲି ଠାରେ ଥିବା ୫୦ ହଜାର ବିଶିଷ୍ଟ ପାଣି ଟାଙ୍କିର ବ୍ୟବସ୍ଥା ହୋଇଛି । ହେଲେ ୨ ବର୍ଷ ହେଲା ଭଗ୍ନ ଅବସ୍ଥାରେ ପଡିରହିଛି ଜୀରା ନଦୀରେ ଲାଗିଥିବା ମେସିନ । ଶୀଘ୍ର ଏହି ପ୍ରକଳ୍ପ ମରାମତି କରା ନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ବିଦ୍ୟୁତ ସେବା ପାଇଁ ଏଭଳି ସମସ୍ୟା ଦେଖାଦେଇଥିବା ବେଳେ ଖୁବ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଭେଡ଼େନ ବିଡିଓ ମୁରଲୀଧର ନାୟକ । ବିଡିଓ କହିବା ଭଳି ଯଦି ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହୁଏ ତେବେ ଲୋକେ ପିଇବା ପାଣି ପାଇଁ ଆଉ ସଂଘର୍ଷ କରନ୍ତେ ନାହିଁ । ବିଡିଓ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବେ ତାହା ଦେଖିବାକୁ ବାକି ରହିଲା ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ