ବରଗଡ: କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଶିକ୍ଷକଙ୍କ ଅନ୍ତିମ ସତ୍କାର କଲା ବରଗଡର ସମାଜସେବୀ ଅନୁଷ୍ଠାନ ସଂକଲ୍ପ ପରିବାର । ମୃତକ ଜଣଙ୍କ ଜଣେ ବିଜ୍ଞାନ ଶିକ୍ଷକ ଓ ସେ ନୂଆପଡା ଜିଲ୍ଲା ବେଳଟୁକରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ବୋଲି ଜଣା ପଡିଛି । ମୃତ ଶିକ୍ଷକଙ୍କ ପରିବାର ସଦସ୍ୟ ମାନେ ଗୃହ ସଂଗରୋଧରେ ଥିବା ଯୋଗୁ ସଂକଳ୍ପ ଅନୁଷ୍ଠାନର ସ୍ବେଚ୍ଛାସେବୀ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ ।
ଗତ ୧୩ ଅକ୍ଟୋବରରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଚିକତ୍ସାଲୟକୁ ଅଣାଯାଇଥିଲା । ପରେ ସେ କୋଭିଡ ଆକ୍ରାନ୍ତ ଥିବା ଜଣା ପଡିବା ପରେ ତାଙ୍କୁ ବରଗଡ଼ କୋଭିଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା ଗତ ଏକ ସପ୍ତାହ ତଳେ ତାଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ତାଙ୍କ ପରିବାରର ଅନ୍ୟ ମାନେ ଗୃହ ସଂଗରୋଧରେ ଥିବା ହେତୁ ସଂକଲ୍ପ ପରିବାରକୁ ମୃତଦେହ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ | ତେବେ ସଂକଲ୍ପ ପରିବାର ସମସ୍ତ କୋଭିଡ ନିୟମ ପାଳନ କରି ତାଙ୍କର ସତ୍କାର କରିଥିଲା । ସଂକଲ୍ପ ପରିବାରର ନିଧାନ ଦନ୍ତା, ବିକାଶ ଭୋଇ,ନିଲେଶ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ମୃତକଙ୍କ ପୁଅ ତେଜସ୍ବୀ ରଞ୍ଜନ ରାୟ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ ।
ବରଗଡରୁ ରାଜେଶ ସରାପ , ଇଟିଭି ଭାରତ