ବରଗଡ: ଫସର ଫାଟିଛି ଲାଞ୍ଚ ନେବା ଯୋଜନା । ଭିଜିଲାନ୍ସ ହାତରେ ଧରାପଡିଛନ୍ତି 2 ସରକାରୀ ବାବୁ । ଗିରଫ ହୋଇଛନ୍ତି ଜିଲ୍ଲାର ବିଜେପୁର ଏନଏସି(NAC)ର ଦୁଇଜଣ କର୍ମଚାରୀ ।
ଏନଏସିର ଇଓ ରୁକ୍ମଣ ମେହେର ଏବଂ କୋଷାଧ୍ୟକ୍ଷ ମାନସ କୁମାର ଦାସ ମଙ୍ଗଳବାର ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ଧମା ଗ୍ରାମର ଡା. ମଦନ ମେହେର ତାଙ୍କର ଏକ ବୋଲେରୋ ଗାଡିକୁ ବିଜେପୁର ଏନଏସିରେ ଭଡା ସୂତ୍ରରେ ଲଗାଇଥିଲେ । ତେବେ ସେ ଗତ କିଛି ମାସର ଭଡା ଅର୍ଥ ପାଇଁ ବିଲ ପାସ କରିଦେବାକୁ ଏନଏସିକୁ ବହୁ ବାର ଦୌଡିଥିଲେ । ହେଲେ ଏହି ବିଲ ପାସ ହେବାରେ ବିଳମ୍ବ ହୋଇଥିଲା ।
ଶେଷରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆକାଉଣ୍ଟାଣ୍ଟ ଏହି ବିଲ ପାସ କରିବା ପାଇଁ ୧୪ ହଜାର ଟଙ୍କା ଦାବି କରିଥିଲେ । ଫଳରେ ସେ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଯୋଜନା ମୁତାବକ ଲାଞ୍ଚ ନେଉଥିବା ସମୟରେ ଉଭୟ ଲାଞ୍ଚୁଆଙ୍କୁ ଭିଜିଲାନ୍ସ କାବୁ କରିଛି । ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ସୂଚନା ଦେଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ