ବରଗଡ: ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ ଅଫିସ ନିକଟରେ ଗତ 15 ତାରିଖ ରାତି ପ୍ରାୟ 11ଟା ସମୟରେ ହୋଇଥିବା ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପଦ୍ମପୁର ପୋଲିସ । ଯୋଜନାବଦ୍ଧ ଭାବେ ହୋଇଥିବା ଏହି ହତ୍ୟାକାଣ୍ଡରେ ପଦ୍ମପୁର ପୋଲିସ ଶନିବାର 3 ଜଣଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୋଲିସ କହିଛି କି ଗତ 15 ତାରିଖ ରାତିରେ ପିକଅପ ଭ୍ୟାନ ସାହାଯ୍ୟରେ ବାଇକକୁ ଧକ୍କା ଦେଇ ଜାଣିଶୁଣି ଦୁର୍ଘଟଣା ଘଟାଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୁଣ୍ଟପାଲି ଗ୍ରାମର ସୁବାଷ ନାଗ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଦୁଇଟି ବାଇକ ଯୋଗେ ପଦ୍ମପୁର ଥାନାରୁ ଅଭିଯୁକ୍ତ ବିନୋଦ କୁମାର ସାହା,ବିକାଶ ସାହା, ଭକଲୁ ବରିହାଙ୍କ ନାମରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଫେରୁଥିଲେ । ଏହି ସମୟରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତ ପଦ୍ମପର ମାଷ୍ଟର କଲୋନୀଠାରେ ଏକ ପିକଅପ ଭ୍ୟାନରେ ତାଙ୍କର ପିଛା କରିଥିଲେ ଏବଂ ସତିଭଟା ଛକସ୍ଥିତ ଫରେଷ୍ଟ ଅଫିସ ନିକଟରେ ପଛ ପଟୁ ଜୋରରେ ଧକ୍କା ଦେଇଥିଲେ ।
ଧକ୍କା ଦେଇ ତିନି ଅଭିଯୁକ୍ତ ସେଠାରୁ ଫେରାର ହୋଇଥିଲେ । ଏହି ପିକଅପ ଓ ବାଇକ ଧକ୍କା ହେବା ଦ୍ବାରା ମସ୍ତମୟ ନାଗ ଓ ରିଙ୍କୁ ନାଗ ଗୁରୁତର ଆହତ ହୋଇଥିଲେ । ଆହତ ଦ୍ବୟଙ୍କୁ ପଦ୍ମପୁରରୁ ବୁର୍ଲା ନେଉଥିବା ସମୟରେ ମସ୍ତମୟଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସୁବାଷ ନାଗ ଓ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପଦ୍ମପୁର ଥାନା ପୋଲିସ 153/20 ନଂରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ଅଭିଯୁକ୍ତମାନଙ୍କୁ ଖୋଜି ଗିରଫ କରିବା ସହ 341/294/506/509 ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ