ବରଗଡ: ଧୁମଧାମରେ ପାଳନ ହେଲା ବରଗଡରେ ଶୀତଳଷଷ୍ଠୀ ମହୋତ୍ସବ । ଗତ 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ବେଶ ଆଡ଼ମ୍ବରରେ ପାଳନ ହୋଇଥିଲା । ଏହି ଉତ୍ସବରେ ସାମିଲ ହେବାକୁ ବରଗଡବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଦେବଦେବ ମହାଦେବ ଭଗବାନ ଶଙ୍କର ଓ ଦେବୀ ପାର୍ବତୀଙ୍କ ବିବାହ ମହୋତ୍ସବକୁ ଶୀତଳ ଷଷ୍ଠୀ ଯାତ୍ରା ଭାବେ ପାଳନ କରାଯାଇଥାଏ ।
ହରପାର୍ବତୀ ବିବାହ: ପ୍ରତିବର୍ଷ ଏହି ଶୀତଳ ଷଷ୍ଠୀ ଯାତ୍ରାରେ ଭଗବାନ ଶିବଙ୍କ ମାତାପିତା ଭାବେ ଏକ ଯୋଡି ସଂକଳ୍ପ ନେଇଥାନ୍ତି । ଦେବୀ ମାଁ ପାର୍ବତୀଙ୍କ ମଧ୍ୟ ମାତାପିତା ଭାବେ ଅନ୍ୟ ଏକ ଯୋଡି ସଂକଳ୍ପ ନେଇଥାନ୍ତି । ଉଭୟ କନ୍ୟା ଓ ବରପକ୍ଷ ନିଜକୁ ଖୁବ ସୌଭାଗ୍ୟ ମନେ କରିଥାଆନ୍ତି । ସମ୍ପୂର୍ଣ୍ଣ ରୀତିନୀତିରେ ଶିବ ପାର୍ବତୀଙ୍କ ବିବାହ ହୋଇଥାଏ । ବରଗଡ଼ର ଗୌରିଶଙ୍କର ମନ୍ଦିରରେ ସ୍ଥାପିତ ଉଭୟ ଦେବୀ ପାର୍ବତୀ ଏବଂ ଭଗବାନ ଶିବ ପୂଜା ପାଇ ଆସିଥାନ୍ତି ଏବଂ ବିବାହ ପୂର୍ବରୁ ଦେବୀ ମାତା ପାର୍ବତୀଙ୍କୁ ମନ୍ଦିରରୁ କନ୍ୟା ଘରକୁ ଅଣାଯାଇଥାଏ । ମନ୍ଦିରରୁ ଭଗବାନ ଶିବଙ୍କ ବରାଯାତ୍ରୀ କନ୍ୟା ଘରକୁ ଯାଇ ବିବାହ କାର୍ଯ୍ୟ କରାଯାଏ ।
ଶୀତଳଷଷ୍ଠୀ: ବିବାହର ପରଦିନକୁ ଶୀତଳଷଷ୍ଠୀ କୁହାଯାଏ । ଏହି ଦିନ ବାବା ଭୋଳା ମାତାଙ୍କୁ ତାଙ୍କ ପିତାଙ୍କ ଘରୁ ମନ୍ଦିରକୁ ଫେରେଇ ନିଅନ୍ତି । ନଗର ପରିକ୍ରମା ସହିତ ପୁଣି ମାତା ପାର୍ବତୀ ଏବଂ ଭଗବାନ ଶିବ ଗୌରିଶଙ୍କର ମନ୍ଦିରକୁ ଆସିଥାନ୍ତି । ତେବେ ବରଗଡରେ ତିନି ଦିନ ଧରି ଚାଲିଥିବା ଏହି ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ ହୋଇଛି । ଗତକାଲି(ବୁଧବାର) ବିଳମ୍ବିତ ରାତ୍ରିରେ ମାଁ ପାର୍ବତୀ ଓ ଭଗବାନ ଶିବଙ୍କ ବିବାହ ନୀତି ସମ୍ପନ୍ନ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ: New Parliament Building: ଆସିଲା ନୂଆ ସଂସଦ ଭବନର ଭିଡିଓ, ଦେଖନ୍ତୁ ଦୃଶ୍ୟ
ବରଗଡ ଗୌରୀଶଙ୍କର ମନ୍ଦିରରୁ ଦେବୀ ମାତା ପାର୍ବତୀଙ୍କୁ ବିଧି ଅନୁଯାୟୀ କନ୍ୟା ମାତାପିତା ରାକେଶ ନାଏକ ଓ ରୀତା ନାଏକଙ୍କ ଶକ୍ତିନଗର ସ୍ଥିତ ବାସଗୃହକୁ ବଜାଗଜା ସହିତ ବହୁ ଆଡ଼ମ୍ବରରେ ଅଣାଯାଇଥିଲା । ଅନ୍ୟପଟେ ବର ପିତାମାତା ମନୋରଞ୍ଜନ ପୁଝାରି ଓ ନିବେଦିତା ପୁଝାରି ଗୌରିଶଙ୍କର ମନ୍ଦିରରେ ବାବା ଶଙ୍କରଙ୍କ ରୁଦ୍ରାଭିଷେକ ପୂଜା କରିଥିଲେ ଏବଂ ସନ୍ଧ୍ୟାରେ ବିଧି ଅନୁକୂଳ କରାଯାଇ ଭଗବାନ ଶିବଙ୍କୁ ବର ବେଶରେ ସଜ୍ଜିତ କରାଯାଇ ବିରାଟ ଶୋଭାଯାତ୍ରାରେ ବରଯାତ୍ରୀ ବାହାରିଥିଲେ ।
ଇଟିଭି ଭାରତ, ବରଗଡ