ବରଗଡ: ଜିଲ୍ଲାର ବରତୁଣ୍ଡାରେ ଚାଷୀଙ୍କ ରାସ୍ତାରୋକ ସହ ଆନ୍ଦୋଳନ ଯୋଗୁଁ ଶୁକ୍ରବାର ସକାଳୁ ପାଇକମାଳ - ନୂଆପଡ଼ା ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା | ବରତୁଣ୍ଡା ବଜାର ପ୍ରାଙ୍ଗଣ ଧାନମଣ୍ଡିରେ ଧାନ ବିକ୍ରି କରିପାରି ନ ଥିବାନେଇ ଚାଷୀ ମାନେ ରାସ୍ତା ରୋକ କରିଥିବା ବେଳେ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା ମାଣ୍ଡୋଶୀଳ ଆଞ୍ଚଳିକ କୃଷକ ସଂଗଠନ ।
ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ୍ ସମବାୟ ସମିତିର ବରତୁଣ୍ଡା ଧାନ ମଣ୍ଡିରେ ଚାଷୀ ମାନେ ଧାନ ବିକ୍ରି ପାଇଁ ଧାନ ପକାଇ ରଖିଥିଲେ । କିନ୍ତୁ ଟୋକନର ଅବ୍ୟବସ୍ଥା ଯୋଗୁଁ ଆଜି ପର୍ଯ୍ୟନ୍ତ ଚାଷୀ ମାନେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଶେଷରେ ଚାଷୀ ମାନେ ରାସ୍ତାରୋକ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ । ଶେଷରେ ଆନ୍ଦୋଳନକାରୀଙ୍କ ନିକଟରେ ଉପଜିଲ୍ଲାପାଳ ପହଞ୍ଚିଥିଲେ ଏବଂ ନିର୍ଭର ପ୍ରତିଶ୍ରୁତି ଦେବାପରେ ଯାଇ ଚାଷୀ ଆନ୍ଦୋଳନରୁ ଓହରିଥିଲେ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ