ବରଗଡ: ପାଖଉଛି ନିର୍ବାଚନ ଆଉ ବଢି ଚାଲିଛି ନିର୍ବାଚନୀ ଉଷ୍ଣତା । ରାଜ୍ୟରେ ଆରମ୍ଭ ହୋଇଛି ଜୋରଦାର ନିର୍ବାଚନ ପ୍ରଚାର । ବିଭିନ୍ନ ଜିଲ୍ଲା ଗସ୍ତରେ ଆସୁଛନ୍ତି ସମସ୍ତ ରାଜନୈତିକ ଦଳର ତୁଙ୍ଗ ନେତା । ଏହି ଅବସରରେ ଆଜି ବରଗଡ ଆସୁଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ |
ଜିଲ୍ଲା ସଦର ବ୍ଲକ ନୁଆଁ ସରସରାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ ରାହୁଲ । ରାୟପୁରରୁ ଦିନ ୧୨ଟା ୩୦ ମିନିଟରେ ବାହାରି ଦିନ 1ଟାରେ ନୁଆଁ ସରସରା ଠାରେ ପହଞ୍ଚିବେ । ଆଉ ଏଠାରେ ଆୟୋଜିତ ସଭାରେ ଜନସାଧାରଣଙ୍କ ଠାରେ ତାଙ୍କର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି | ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।
ନିର୍ବାଚନୀ ବିଗୁଲ ବାଜିବା ପରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାରେ ଏହା ପ୍ରଥମ ବଡ କାର୍ଯ୍ୟକ୍ରମ । ସାରା ଦେଶରେ ପରିବର୍ତ୍ତନ ଆଣିବା ପାଇଁ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଆୟୋଜନ କରାଯାଉଛି । ତେବେ ରାଜ୍ୟରେ ଦଳର ପତିଆରା ଧୀରେ ଧୀରେ ଲୋପ ପାଇବାକୁ ବସିଥିବାବେଳେ ରାହୁଲ ଗାନ୍ଧୀଙ୍କ ଗସ୍ତରେ କଂଗ୍ରେସ କର୍ମୀ ଓ ନେତା ଉତ୍ସାହିତ ହୋଇଉଠିଛନ୍ତି । ଅନ୍ୟପଟେ ପଡୋଶୀ ଛତିଶଗଡ ରାଜ୍ୟରେ କଂଗ୍ରେସ ସରକାର ଗଢିବା ପରଠାରୁ ବରଗଡରେ କଂଗ୍ରେସ କର୍ମୀ ଓ ନେତାଙ୍କ ଆଶା ଏବଂ ବିଶ୍ଵାସ ପୁଣି ଫେରିଆସିଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅଣ୍ଟାଭିଡି ସାରିଛି ବରଗଡ ଜିଲ୍ଲା କଂଗ୍ରେସ ଦଳ |
ରାହୁଲ ଗାନ୍ଧୀଙ୍କ ଏହି ସଂକଳ୍ପ ସମାବେଶ ମଞ୍ଚରେ ତାଙ୍କ ସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଛତିଶଗଡ ସ୍ଵାସ୍ଥ୍ୟମନ୍ତ୍ରୀ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଟି.ଏସ ସିଂଦେଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ଚାଷ ଓ ଚାଷୀଙ୍କୁ ନେଇ ସମସ୍ତ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ରାହୁଲ ମଧ୍ୟ ଏମାନଙ୍କ ସମସ୍ୟାକୁ ନେଇ ଅଭିଭାଷଣ ରଖିବେ ବୋଲି ଆଶା କରାଯାଉଛି । ତେବେ ଅନ୍ୟପଟେ ରାହୁଲଙ୍କ ବରଗଡ ଗସ୍ତ ଆଗାମୀ ସାଧାରଣ ନିର୍ବାଚନରେ ଅଞ୍ଚଳର ଭୋଟରଙ୍କୁ କୌଣସି ପ୍ରକାର ପ୍ରଭାବ ପକାଇ ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ।
ତେବେ ଆଜିର ଏହି ସମାବେଶ କାର୍ଯ୍ୟକ୍ରମ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏଥିରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ରାହୁଲ ଗାନ୍ଧୀଙ୍କ ବରଗଡ ଆଗମନକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଜିଲ୍ଲାରୁ ବହୁ ମାତ୍ରାରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୧୮ ଜଣ ଅତିରିକ୍ତ ଏସପି, ୧୮ ଜଣ ଇନ୍ସପେକ୍ଟର, ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ