ବରଗଡ:ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଯେଉଁ ଗାଇଡଲାଇନ ଜାରି କରିଛନ୍ତି, ବରଗଡରେ ତାର ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ। କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନ ସହିତ ଜଡିତ କୌଣସି ବି କର୍ମଚାରୀ ନିଜ ଘରୋଇ ଜିଲ୍ଲାରେ ରହିପାରିବେ ନାହିଁ। ହେଲେ ଅତାବିରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ତପସ୍ଵିନୀ ଗୁରୁଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତପସ୍ଵିନୀଙ୍କ ଘରୋଇ ଜିଲ୍ଲା ବରଗଡ ହୋଇଥିଲେ ମଧ୍ୟ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବଦଳି କରାଯାଉନଥିବା କହିଛି ବରଗଡ ଆମ ଆଦମୀ ପାର୍ଟି।
କମିଶନ ଆହୁରି ମଧ୍ୟ ନିର୍ଦ୍ଦେଶନାମାରେ କହିଛନ୍ତି, 31 ମେ 2019 ସୁଦ୍ଧା ନିର୍ବାଚନ ସହିତ ଜଡିତ ଯଦି କୌଣସି କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷ ଧରି କାମ କରୁଥାନ୍ତି, ସରକାରୀ ନିୟମ ଅନୁଯାୟୀ ତାଙ୍କୁ ମଧ୍ୟ ବଦଳି କରାଯିବ। ଏପଟେ କିନ୍ତୁ ଜିଲ୍ଲାରେ ଏହାର ବି ବ୍ୟତିକ୍ରମ ଦେଖିବାକୁ ମିଳିଛି। ବରଗଡ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତଙ୍କ ଗତ ଜାନୁୟାରୀ ମାସରେ ଜିଲ୍ଲାରେ 3 ବର୍ଷ ପୁରିଛି। ହେଲେ ତାଙ୍କୁ ବଦଳି କରାନଯାଇ ଓଲଟା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ସେହିପରି ପଦ୍ମପୁର ଏନଏସିରେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ଵ ତୁଲାଉଥିବା ଅଶୋକ ପାତ୍ରଙ୍କ ଗୋଟିଏ ସ୍ଥାନରେ ଚାରି ବର୍ଷ ପୁରିଲାଣି। ହେଲେ ତାଙ୍କୁ ମଧ୍ୟ ବଦଳି କରାଯାଇନଥିବା ଅଭିଯୋଗ କରିଛନ୍ତି ଦଳର ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ