ବରଗଡ: ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଅପରାଧ ଓ ଅପରାଧୀଙ୍କ ବେଆଇନ କାର୍ଯ୍ୟକଳାପ ଦିନକୁ ଦିନ ବଢିଚାଲିଥିବା ବେଳେ ଏଠାକାର ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ଓଲଟା ଅପରାଧୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।
ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମରେ ଅପରାଧୀମାନେ ପୋଲିସର ସହାୟତାରେ ଖୁଲମଖୁଲା ଲୋକଙ୍କୁ ଭୟଭୀତ କରାଇ ବିଭିନ୍ନ ବେଆଇନ କାମ କରୁଛନ୍ତି ଏବଂ ଏହାର ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନାନା ଅତ୍ୟାଚାର କରିବା ସହିତ ଜୀବନରୁ ମାରିଦେବାର ଧମକ ଦିଆଯାଉଛି । ଏପରିକି କଙ୍ଗାରୁ କୋର୍ଟ କରାଯାଇ ସେଠାରେ ଦଣ୍ଡିତ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।
ବେଆଇନ କାମକୁ ବିରୋଧ କରୁଥିବା ପୁଟୁକା ଗ୍ରାମର ବିରେନ ସେଠଙ୍କ ସ୍ତ୍ରୀଙ୍କୁ ଗ୍ରାମରେ ଉଲଗ୍ନ କରିବା ପରେ ଓଲଟା ପୋଲିସ ସହାୟତାରେ ମିଥ୍ୟା ମାମଲା କରାଯାଇ ତାଙ୍କୁ ଜେଲ ପଠାଯାଇଥିଲା । ବିରେନ ଜେଲରୁ ଫେରିବା ପରେ ପୁଣି ତାଙ୍କୁ ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇ ଅପମାନିତ କରିଥିଲେ ମାଫିଆମାନେ। ତେବେ କଙ୍ଗାରୁ କୋର୍ଟ ପରେ ବିରେନ ନିଖୋଜ ଥିବାବେଳେ ତାଙ୍କୁ ହତ୍ୟା କରିଦିଆଯାଇଛି ନା ଅପହରଣ କରାଯାଇଛି ପରିବାର ଲୋକେ ସନ୍ଦେହରେ ରହିଛନ୍ତି ।
ବେଆଇନ ଗୋରୁ ବଜାର କରାଯାଇ ବାଙ୍ଗଲାଦେଶକୁ ଗୋହତ୍ୟା ପାଇଁ ଏଠାରୁ ଗାଈ ଗୋରୁ ପଠାଯାଉଥିବାରୁ ଏହାକୁ ବିରୋଧ କରିଥିଲେ ବିରେନ । ତେବେ ବିରେନ ସେଠଙ୍କୁ ହତ୍ୟା କରାଯିବ ବୋଲି ପୂର୍ବରୁ ଧମକ ଦିଆଯାଇଥିବାବେଳେ ଚାରି ଦିନ ହେଲା ସେ ନିଖୋଜ ଅଛନ୍ତି ।
ଜଗଦଲପୁର ଥାନା ଅଞ୍ଚଳରେ ଚାଲିଥିବା ବେଆଇନ କାମ ବିରୋଧରେ ଯେପରି ଲୋକେ ମୁହଁ ନ ଖୋଲିବେ, ସେ ନେଇ ଲୋକଙ୍କୁ ମାରିଦିଆଯାଉଛି ଏବଂ ମିଥ୍ୟା ମାମଲାରେ ମଧ୍ୟ ଫସାଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ତେବେ ଅପରାଧୀଙ୍କ ଏପରି କାର୍ଯ୍ୟ କଳାପ ପାଇଁ ଏଠାକାର ପୋଲିସ ମୁକ ସାଜି ଚୁପ ବସିବା ପଛରେ କଣ ରହସ୍ୟ ରହିଛି ସମସ୍ତଙ୍କୁ ଜଣା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ