ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ବିଜେପି ପରିବାରର ବୋହୂଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଏହାକୁ ନେଇ ଆଜି ରାଜ୍ୟ ବିଜେପି ମୁହଁ ଖୋଲିଛି ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ପ୍ରାର୍ଥୀନି ବିଜେପି ପରିବାରର ବୋହୂ ହେବା ପୂର୍ବରୁ ସେ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ତାଙ୍କ ଦଳ ତାଙ୍କୁ ପ୍ରାର୍ଥୀ କଲା । ଗ୍ରହଣ କରିବା ନ କରିବା ତାଙ୍କ ଉପରେ ନିର୍ଭର କରୁଥିଲା । ସେଥିରେ ଭାରତୀୟ ଜନତା ପାର୍ଟିର ସମ୍ପୃକ୍ତି ନାହିଁ କି କିଛି କହିବାର ନାହିଁ । ରମା ରଞ୍ଜନ ବଳିୟାରସିଂଙ୍କ ଦଳ ପ୍ରତି ନିଷ୍ଠା ଅଛି । ନିଷ୍ଠା ଥିବା ପ୍ରତିଟି ଲୋକକୁ ଆଗରେ ରଖିବା ଆମର କର୍ତ୍ତବ୍ୟ ବୋଲି ପୃଥ୍ବୀରାଜ କହିଛନ୍ତି ।
ପୃଥ୍ବୀରାଜ ଆହୁରି କହିଛନ୍ତି ‘‘ବିଜୁ ଜନତା ଦଳର ପ୍ରାର୍ଥୀମାନେ ହେଉଛନ୍ତି 'କା', ସେମାନେ ନବୀନ ବାବୁଙ୍କ ଫଟୋ ଦେଖାଇ, ସରକାରୀ କଳକୁ ଅପବ୍ୟବହାର, ଦାଦାଗିରି କରି ନିର୍ବାଚନ ଲଢ଼ନ୍ତି । ନିର୍ବାଚନରେ ବିଜେଡି ପ୍ରାର୍ଥୀର କୌଣସି ଗୁରୁତ୍ୱ ନାହିଁ । ସେଭଳି ଗୁରୁତ୍ୱହୀନ ପ୍ରାର୍ଥୀମାନଙ୍କୁ କୌଣସି ଜାଗାରେ ଆମେ ଆକ୍ରମଣ କରିନାହୁଁ । ଏଠାରେ ବି କରିବାର ନାହିଁ । ବ୍ୟକ୍ତିଗତ ଭାବରେ କୌଣସି ଆକ୍ଷେପ କରିବାର ନାହିଁ । ସିଧାସଳଖ ନିକାମ୍ମା ସରକାରଙ୍କୁ ହଟାଇବା ପାଇଁ ଯାହା ଦରକାର ଆମେ ସେୟା କରିବୁ ।’’
ଇଟିଭି ଭାରତ, ଭୁବନେଶ୍ବର