ବରଗଡ଼: ଭାଭା ପରମାଣୁ ଗବେଷଣା କେନ୍ଦ୍ର ପାଇଁ ମନୋନୀତ ହେଲେ ବରଗଡ଼ର ଛାତ୍ର ସନ୍ତୋଷ ସୌରଭ ସାହୁ । ଭାରତର ପ୍ରମୁଖ ବିଜ୍ଞାନ ଗବେଷଣା କେନ୍ଦ୍ର ମୁମ୍ବାଇ ସ୍ଥିତ "ଭାଭା ପରମାଣୁ ଗବେଷଣା କେନ୍ଦ୍ର (ବାର୍କ)" ରେ ଉଚ୍ଚ ଶିକ୍ଷାଲାଭ ପାଇଁ ବରଗଡ଼ର ଛାତ୍ର ସନ୍ତୋଷ ସୌରଭ ସାହୁ ମନୋନୀତ ହୋଇଛନ୍ତି। "ରାଷ୍ଟ୍ରୀୟ ବିଜ୍ଞାନ, ଶିକ୍ଷା ଓ ଅନୁସନ୍ଧାନ " ପାଇଁ ନାଇଜରରୁ ସଫଳତାର ସହ 'ବାର୍କ' ର ସର୍ବଭାରତୀୟ ସ୍ତରର ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ତେବେ ସନ୍ତୋଷ ସୌରଭ 'ନାଇଜର'ରୁ ମନୋନୀତ ହୋଇଥିବା ଏକମାତ୍ର ଛାତ୍ର ବୋଲି ସୂଚନା ରହିଛି। କୃତିତ୍ୱ ହାସଲ କରି ଭାଭା ପରମାଣୁ ଗବେଷଣା କେନ୍ଦ୍ରରେ ଉଚ୍ଚଶିକ୍ଷା ଲାଭ କରିବାକୁ ସେ ମନୋନୀତ ହୋଇଛନ୍ତି । ବରଗଡ଼ର ସାହିତ୍ୟିକ ତଥା ବର୍ଦ୍ଧମାନ ମହାବୀର ବିଜ୍ଞାନ କଲେଜର ଅଧ୍ୟକ୍ଷ ଡକ୍ଟର ରବିନାରାୟଣ ସାହୁ ଓ ଜର୍ଜ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ବୀଣାପାଣି ସାହୁଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ସନ୍ତୋଷ। ପୁଅର ଏଭଳି କୃତିତ୍ବକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପରିବାରବର୍ଗ।
ଏହା ବି ପଢନ୍ତୁ...ଏଥର ସମ୍ଭବ ଗଭୀର ଜଳରେ ଗବେଷଣା, ରୋବଟ ତିଆରି କଲେ NIT ରାଉରକେଲା ଛାତ୍ର
ତେବେ ବରଗଡ଼ର ରୋଟାରୀ ପବ୍ଲିକ ସ୍କୁଲ ଓ ବରପାଲିର ଲିଟିଲ୍ ଏଞ୍ଜେଲ୍ସ ପବ୍ଲିକ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରି 'ନାଇଜର'ରେ ଅଧ୍ୟୟନ କରୁଥିଲେ ସନ୍ତୋଷ। ବିଜ୍ଞାନ ପ୍ରତି ରୁଚି ରଖିଥିବା ଶ୍ରୀମାନ ସାହୁ ୨୦୧୪ ମସିହାରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏହାସହ 'ନାଇଜର'ରେ ଅଧ୍ୟୟନ ସମୟରେ ୨୦୨୦ ରେ 'ଜାତୀୟ ଅନ୍ବେଷଣ ଦକ୍ଷତା ପ୍ରତିଯୋଗିତା'ରେ ସେ ସମ୍ମାନିତ ହୋଇଥିବାବେଳେ ୨୦୨୧ରେ 'କୋଭିଡ୍ ନିୟନ୍ତ୍ରଣରେ ପ୍ଲାଜ୍ମା ଓ ଲେଜରର ପ୍ରୟୋଗ' ଶୀର୍ଷକ ଗବେଷଣାତ୍ମକ ବିଷୟବସ୍ତୁରେ ପୁରସ୍କୃତ ହୋଇଛନ୍ତି। ଖାଲି ସେତିକି ନୁହେଁ, ୨୦୨୨ରେ 'ଚାଣକ୍ୟ ଫେଲୋସିପ' ପାଇଁ ମଧ୍ୟ ସେ ମନୋନୀତ ହୋଇଥିଲେ।
ଏହା ବି ପଢନ୍ତୁ...VSSUTରେ ତିଆରି ହେବ ରକେଟ ! ISRO ସହଯୋଗରେ ଜାତୀୟ ସ୍ପେସ୍ ପ୍ରୋଗ୍ରାମ କର୍ମଶାଳା ଅନୁଷ୍ଠିତ
ନିଜର ସ୍କୁଲ ଶିକ୍ଷା ସମୟରେ ମଧ୍ୟ ବିଦ୍ୟାଳୟ ସ୍ତରୀୟ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବକୃତା, ପ୍ରବନ୍ଧ, ବିଜ୍ଞାନ ପ୍ରଦର୍ଶନୀରେ ସେ ବହୁବାର ପୁରସ୍କୃତ ହୋଇଥିବା କହିଛନ୍ତି । ତାଙ୍କର ଏଭଳି କୃତିତ୍ବରେ ନାଇଜରର କୁଳପତି ଡକ୍ଟର ଅଭୟ କୁମାର ନାୟକ, ନିର୍ଦ୍ଦେଶକ ଡକ୍ଟର ଏ.ଶ୍ରୀନିବାସନ ଓ ମାର୍ଗଦର୍ଶକ ଡକ୍ଟର ଶୁଭଙ୍କର ବେଦାନ୍ତ ତଥା ନାଇଜରର ଛାତ୍ରଛାତ୍ରୀ ଏବଂ ସମ୍ପର୍କୀୟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଇଟିଭି ଭାରତ, ବରଗଡ଼