ବରଗଡ: ମୃତ୍ୟୁ କେତେବେଳେ କେମିତି ହେବ ତାହା ସାମାନ୍ୟ ମଣିଷ ଜାଣିବା ଅସମ୍ଭବ । 9 ମାସ ୯ ଦିନ ଗର୍ଭରେ ଧାରଣ କରି ପୁଅ ବଡ ହେବା ପରେ ଗୋଟିଏ ଜୁଇରେ ଜଳିବା ବୋଧେ ବିରଳ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ଗ୍ରାମରେ । ବିଷାକ୍ତ ସାପ କାମୁଡିବାରୁ ଉଭୟ ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ଏକାଥରେ ଦୁଇଜଣଙ୍କ ମୃତ୍ୟୁ ହେବା ଫଳରେ ସ୍ତବ୍ଧ ହୋଇଯାଇଛି ପୁରା ଗ୍ରାମ । ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।
ସୂଚନାଅନୁସାରେ, ବାଇପାଲି ଗ୍ରାମର ନିବାସୀ କ୍ଷିରୋଦ୍ର ପ୍ରଧାନ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ ପତ୍ନୀ ସୁନୀତା ପ୍ରଧାନ(36) ଏବଂ ସାତ ବର୍ଷର ପୁଅ ପିଉସଙ୍କୁ କାମୁଡି ଦେଇଥିଲା । ତେବେ ପରିବାର ଲୋକେ ଉଭୟ ମା’, ପୁଅଙ୍କୁ ରାତି ୩ଟାରେ ବରଗଡ ହସ୍ପିଟାଲକୁ ଏବଂ ପରେ ବୁର୍ଲାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଉଭୟ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା l ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଗାଁରେ ଜାଣିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା l ଉଭୟ ମାଆ ଓ କୁନି ପୁଅର ମୃତଦେହକୁ ଏକାସଙ୍ଗେ ଦେଖି ପରିବାର ଲୋକେ ଧୈର୍ଯ୍ୟହରା ହୋଇପଡିଥିବା ଦେଖାଦେଇଛି l ଶେଷରେ ଛାତିରେ ପଥର ରଖି ଗ୍ରାମବାସୀ ଉଭୟ ମାଆ ଓ ପୁଅର ମୃତଦେହକୁ ଗୋଟେ ଜୁଇରେ ସତ୍କାର କରିଥିଲେ l
ଇଟିଭି ଭାରତ, ବରଗଡ