ବରଗଡ: ଚଳିତ ଖରିବ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ କେତେକ ସ୍ଥାନରେ ଆଜିଯାଏଁ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଅମଳ ଧାନ ବିକ୍ରି କରିପାରୁନାହାନ୍ତି । ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ବଢିବାକୁ ଲାଗିଛି | ତେଣୁ ଏନେଇ ଗତ ମଙ୍ଗଳବାର ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା,ବୈରଖପାଳି ପଞ୍ଚାୟତ ଏବଂ ଗଣ୍ଡପାଳି , ସୋହେଲା ବ୍ଲକ ଅଧିନସ୍ଥ ଶ୍ରୀଗିଡା ଗ୍ରାମର ଚାଷୀମାନେ ବରଗଡ ଜିଲ୍ଲାପାଳଙ୍କ ନିକଟରେ ମଣ୍ଡି ଖୋଲିବା ନେଇ ଦାବି କରିଛନ୍ତି ।
ବିଜେପୁର ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବଡ ବାଉସେନ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଅରଡା ମାର୍କେଟ ୟାର୍ଡ଼ ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ଧାନ ମଣ୍ଡିଟି ପଞ୍ଚାୟତ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି । ଯାହାଫଳରେ ସେଠାକୁ ଧାନ ନେବାରେ ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |
ଗତ ବର୍ଷରୁ ଗ୍ରାମବାସୀ ଖରାମୁଣ୍ଡା ଗ୍ରାମରେ ଏକ ମଣ୍ଡି ଖୋଲା ଯିବା ନେଇ ବାରମ୍ବାର ଉପଜିଲ୍ଲାପାଳ ଓ ସିଏସଓଙ୍କ ଠାରେ ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବହୁ ଚାଷୀ ନିଜର ଉପାର୍ଜିତ ଧାନ ବିକ୍ରି କରିବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି | ଯାହାଫଳରେ ଏହି ଅଭିଯୋଗ ନେଇ ଗତ ମଙ୍ଗଳବାର ଗ୍ରାମର ବହୁ ଚାଷୀ ଜିଲ୍ଲାପାଳଙ୍କ ଠାରେ ଏହାର ସମାଧାନ ନିମନ୍ତେ ଦାବି କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ