ବରଗଡ: ନିଜ ଗୃହ ଜିଲ୍ଲାରେ ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ବିରୋଧ ଜାରି ରହିଛି । ପ୍ରଥମେ ଦଳୀୟ କର୍ମୀ ପରେ ଆଜି ବିରୋଧୀ ମନ୍ତ୍ରୀଙ୍କୁ ବିରୋଧ କରିବା ସହ ଅଣ୍ଡା ମାଡ କରିଛନ୍ତି । ଯାହକୁ ନେଇ ମନ୍ତ୍ରୀ ରୀତା ସାହୁଙ୍କ ଲୋକ ସମ୍ପର୍କ ଓ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।
ଘଟଣା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଠାରେ ଆଜି ଏହି ଘଟଣା ଘଟିଛି । ଦୀର୍ଘ ବର୍ଷ ପରେ ପଦ୍ମପୁର ଅଞ୍ଚଳରେ ଜଣେ ମନ୍ତ୍ରୀଙ୍କୁ ଏପରି ବିରୋଧ ଦେଖିବାକୁ ମିଳିଛି । ଆଜି ବରଗଡ ପାଇକମାଲ ବ୍ଲକ ତହସିଲ ଛକ ନିକଟରେମନ୍ତ୍ରୀ ରୀତା ସାହୁଙ୍କ ଗାଡି ଉପରକୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଅଣ୍ଡା ମାଡ କରିଛନ୍ତି । ସକାଳେ ମନ୍ତ୍ରୀ ପାଇକମାଲ ଯମୁନା କନ୍ଧୁଣି ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରି ପାଇକମାଲ ତହସିଲ ଅଫିସ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ରୂପାନ୍ତରୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସୁଥିବା ସମୟରେ, ପୂର୍ବରୁ ତହସିଲ ଛକ ନିକଟରେ ଛକି ବସିଥିବା ଭାରତୀୟ ଜନତା ପାର୍ଟିର କେତେକ କାର୍ଯ୍ୟକର୍ତ୍ତା ରାସ୍ତା ଉପରକୁ ଆସି ବିଭିନ୍ନ ସ୍ଲୋଗାନ ଦେବା ସହିତ ମନ୍ତ୍ରୀ ଙ୍କର ଗାଡି ଉପରକୁ ଅଣ୍ଡା ମାଡ଼ ସହିତ କଳା ପତାକା ପ୍ରଦର୍ଶନ କରିଥିଲେ ।
ରାସ୍ତାରେ ମନ୍ତ୍ରୀଙ୍କ ଗାଡିର ଗତି ଧୀର ହେବାରୁ ଗାଡି ଉପରକୁ କଳା ପତାକା ଫୋପାଡିବା ସହ ଅଣ୍ଡା ମାଡ କରିଥିଲେ ବିରୋଧୀ ଦଳକ କର୍ମୀ । ତେବେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପଦ୍ମପୁର ବିଧାୟକଙ୍କ ନିଧନ ପରେ ଏହି ଆସନରେ ଆଗକୁ ଉପନିର୍ବାଚନ ହେବ । ହେଲେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜନୀତି ସରଗରମ ହେବାରେ ଲାଗିଲାଣି । ଯାହା ଆଜିର ଅଣ୍ଡା ମାଡ ଘଟଣାରୁ ପ୍ରମାଣିତ ହୋଇଛି ।
ଇଟିଭି ଭାରତ, ବରଗଡ