ବରଗଡ: ଘର ପରିବାରର ପେଟ ପୋଷିବାକୁ ଯାଇ ବାହାର ରାଜ୍ୟରେ ଦାଦନ ଖଟୁଛି ଗରିବ ବାପା । ଏପଟେ ଘରେ ଥିବା ଦିବ୍ୟାଙ୍ଗ ଝିଅର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂସଡା ଗ୍ରାମରେ । ଦୁଃଖ ଉପରେ ଦୁଃଖ ଅଜାଡି ହୋଇଛି ଗରିବ ଦାଦନ ଶ୍ରମିକ ମୟ ନାୟକଙ୍କ ଘରେ । ଘରେ 5 ଶିଶୁ, ପତ୍ନୀ ଓ ବୁଢା ବାପାଙ୍କୁ ଛାଡି ପରିବାରର ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ସେ । ହେଲେ ବାପା ମୟଙ୍କୁ ଜଣା ବି ନାହିଁ କି ଘରେ ତାଙ୍କର ଝିଅର ମୃତ୍ୟୁ ହୋଇଯାଇଛି ।
ନିଜ ଜନ୍ମ କଲା ଝିଅର ମୃତ୍ୟୁ ପରେ ଶେଷ ମୁହୂର୍ତ୍ତରେ ବି ତା’ ମୁହଁ ଚାହିଁବାରୁ ବଞ୍ଚିତ ହୋଇଛି ଦାଦନ ଖଟିବାକୁ ଯାଇଥିବା ବାପା । ଦାଦନ ସମସ୍ୟା ରୋକିବା ପାଇଁ ରାଜ୍ୟ ସରକାର କରୁଛନ୍ତି ବହୁ ଯୋଜନା । ହେଲେ ବରଗଡ ଜିଲ୍ଲାରେ ଏହା ଫେଲ ମାରିଛି । ଅଳ୍ପ କେତେକ ଲୋକଙ୍କୁ ଛାଡି ଦେଲେ ଅଧିକାଂଶ ଲୋକେ ବଞ୍ଚିତ ରହୁଛନ୍ତି ସରକାରଙ୍କ ଯୋଜନାରୁ ଏବଂ ପେଟ ପାଟଣା ପାଇଁ ବାଧ୍ୟ ହୋଇ ଦୂର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟିବାକୁ ।
କେତେବେଳେ ଦାଦନ ଶ୍ରମିକଙ୍କ ମୃତ୍ୟ ଘଟୁଛି ତ କେତେବେଳେ ତାଙ୍କୁ ଅତ୍ୟାଚାର କରାଯାଇ ଅଟକ ରଖାଯାଉଥିବା ଖବର ପ୍ରତିଦିନ ଆସୁଛି । ଏମିତିରେ ମୟ ନାୟକ ଏକ ଶ୍ରମିକ ଶ୍ରେଣୀର ଲୋକ ଯିଏ କାମ ଧନ୍ଦା ଅଭାବରୁ ପରିବାର ପରିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି । ପରିବାର କହିଲେ 5 ଶିଶୁ, ପତ୍ନୀ ଏବଂ ବୃଦ୍ଧ ବାପା । ଦୁଃଖ କଷ୍ଟରେ ଏକ ମାଟି ଘରେ ବସବାସ କରୁଛନ୍ତି ପରିବାର ।
ସେପଟେ ବାପାଙ୍କ ଅନୁପସ୍ଥିତିରେ ପୋଖରୀରେ ବୁଡି ମୃତ୍ୟୁ ମୁଖରେ ପଡିଥିବା ଝିଅର ଶବ ସତ୍କାର ପାଇଁ ମଧ୍ୟ ଅସମର୍ଥ ଥିବା ଗରିବ ପରିବାରକୁ ସାହାଯ୍ୟର ହାତ ବଢାଇଥିଲେ ଗ୍ରାମବାସୀ । ତେବେ ସମ୍ପୃକ୍ତ ଅସହାୟ ପରିବାରକୁ ଅନୁକମ୍ପା ମୂଳକ ଭାବେ 4 ଲକ୍ଷ ଟଙ୍କାର ସହାୟତା ରାଶି ସହ ଘରଟିଏ ଯୋଗାଇ ଦେବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି ଗ୍ରାମବାସୀ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ