ବରଗଡ: ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ଦେଶୀୟ ପକ୍ଷୀଙ୍କ ଆସର । ପକ୍ଷୀଙ୍କ କୋଳାହଳରେ ପୁରି ଉଠୁଛି ଗାଁ । ଜଙ୍ଗଲ ଲତା ଯେଉଁ ଆଡେ ଚାହିଁ ଦେଲେ ଖାଲି ଦେଶୀୟ ପକ୍ଷୀଙ୍କ ରାବ । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ହେଲେ ଗାଁ କାହିଁ କେଉଁ ଆଡୁ ଚାଲି ଆସନ୍ତି ଏମାନେ । ଦୀପାବଳୀ ସରିଲେ ନିଜ ପିଲା ଛୁଆଙ୍କୁ ଧରି ଫେରି ଯାଆନ୍ତି ନିଜ ସ୍ଥାନକୁ ।
ତେବେ ଅକ୍ଷୟତୃତୀୟା ଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ବରଗଡ଼ର ବିଭିନ୍ନ ଗାଁ ଗୁଡ଼ିକରେ ରହିଥାନ୍ତି । ଏହି ସମୟ ମଧ୍ୟରେ ପକ୍ଷୀମାନେ ଅଣ୍ଡାଦେଇ ସେଥିରୁ ଛୁଆ ଜନ୍ମକରିବା ପରେ ତାଙ୍କୁ ଉଡ଼ିବା ଶିଖାଇଥାନ୍ତି ଓ ପରେ ନିଜ ଘରକୁ ଫେରି ଯାଆନ୍ତି । ବିଶେଷ କରି କୁର୍ଲାଜୁରୀ, ଅନ୍ତପାଲି, ବାଲିଜୋରୀ, କେନ୍ଦମୁଣ୍ଡି ଗାଁ ଗୁଡିକରେ ପକ୍ଷୀଙ୍କ ଆସର ଦେଖିବାକୁ ମିଳେ ।
ଗ୍ରାମବାସୀଙ୍କ ପାଇଁ ଶୁଭଙ୍କର ଅଟନ୍ତି ଏହି ଭ୍ରମଣକାରୀ ପକ୍ଷୀ । ଏମାନଙ୍କ ଆଗମନରେ ଗାଁ ଲୋକଙ୍କ ମନରେ ଭରିଯାଏ ଆନନ୍ଦର ଲହରି । ପକ୍ଷୀ ମାନଙ୍କ ରାବରେ ଗାଁ ହୋଇଉଠେ ଚଳଚଞ୍ଚଳ ଆଉ ଶାବକ ପକ୍ଷୀଙ୍କ କିଚିରି ମିଚିର ଶଦ୍ଦ ଗାଁ ଦାଣ୍ଡକୁ କରିଥାଏ ସଂଗୀତମୟ । ଏମାନଙ୍କ ଆଗମନକୁ ଗାଁ ଲୋକେ ଚାହିଁ ବସିଥାନ୍ତି, କାରଣ ଏମାନେ ଆସିଲେ ଗାଁରେ ଭଲ ବର୍ଷା ହୁଏ ଆଉ ଯେଉଁ ବର୍ଷ ଏମାନେ ନ ଆସନ୍ତି, ସେହିବର୍ଷ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ନଜିର ଥିବା କୁହନ୍ତି ଗାଁ ଲୋକେ । ସେଥିପାଇଁ ଗ୍ରାମବାସୀ ଏହି ପକ୍ଷୀଙ୍କ ସୁରକ୍ଷା କରିବା ସହ ତାଙ୍କର ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ