ବରଗଡ: ସଦର ଥାନା ଅନ୍ତର୍ଗତ ଚକରକେନ୍ଦରେ ଥିବା ମାତୃଛାୟା ଅନୁଷ୍ଠାନରେ ଯୌନକାରବାର ଅଭିଯୋଗ ଘଟଣା । ମହିଳାଙ୍କ ସହିତ ଯୌନ କାରବାର କରାଯାଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ଓ ପୋଲିସ ଆରମ୍ଭ କରିଛି ତନାଘନା । ଅପନ୍ୟପଟେ ମାତୃଛାୟାରେ ରହୁଥିବା ଅନ୍ତେବାସୀ ଆଜି (ମଙ୍ଗଳବାର) ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଭେଟିବା ସହ ମାତୃଛାୟା ବିରୋଧରେ ଆସୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ।
ବରଗଡରୁ ୧୦ କିଲୋମିଟର ଦୂରରେ ରହିଥିବା ଏହି ମାତୃଛାୟା ଶିବିରରେ ବହୁ ଅନାଥ ମହିଳା ରହୁଥିବାବେଳେ ସେମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେହି ସ୍ଥାନ ଆଦୌ ନିରାପଦ ନୁହେଁ । କିଛି ଦିନ ତଳେ ମାତୃଛାୟାରେ ରହୁଥିବା ଜଣେ ମହିଳାଙ୍କର ମୃତଦେହ ନିକଟସ୍ଥ ନିଛାଟିଆ ସ୍ଥାନରେ ମିଳିଥିଲା ହେଲେ ସଦର ପୋଲିସ କେବଳ ଏକ ମାମଲା ରୁଜୁ କରି ବସିରହିଛି । ଏପରିକି ଉକ୍ତ ମାମଲାକୁ ନେଇ କୌଣସି ତଦନ୍ତ ମଧ୍ୟ କରାଯାଇନଥିଲା । ଆଉ ବର୍ତ୍ତମାନର ଅଭିଯୋଗ ପରେ ଏହି ଅନୁଷ୍ଠାନ ସନ୍ଦେହ ଘେରକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ମାତୃଛାୟା ଅନୁଷ୍ଠାନର ସ୍ଥାନ ପରିବର୍ତ୍ତନ ନେଇ ମାତୃଛାୟା ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଠାରେ ବହୁଦିନରୁ ଅନୁରୋଧ କରାଯାଇଥିଲା । ଏହାସହ ଏଥିପାଇଁ ଏକ ଏକର ଜାଗା ମଧ୍ୟ ଚିହ୍ନଟ କରାଯାଇଥିଲା । ମାତ୍ର ବର୍ତ୍ତମାନର ବିବାଦ ଯୋଗୁଁ ସ୍ଥାନ ନମିଳିବା ନେଇ ଚିନ୍ତାରେ ପରିଚାଳକ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ