ବରଗଡ଼: ଦୀର୍ଘ ଦିନର ବ୍ୟବଧାନ ପରେ ବରଗଡ଼ ଜିଲ୍ଲାରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଟ ଓ ବରତୁଣ୍ଡାରେ ରାସ୍ତା କଡ଼ରେ ଲାଲ ରଙ୍ଗର କପଡ଼ାରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ କିଛି ଲେଖା ରହିଛି । ଆଜି(ବୁଧବାର) ଭୋର ସକାଳୁ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ଲାଲ ରଙ୍ଗର ମାଓ ପୋଷ୍ଟର ଦେଖି ଭୟଭୀତ ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଚାରିଆଡ଼େ ପ୍ରଚାରିତ ହେବାପରେ ପାଇକମାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଲାଲବାହିନୀ ପକ୍ଷରୁ ଜାରି ହୋଇଥିବା ପୋଷ୍ଟରରେ ଜୁଲାଇ 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଶହୀଦ ଦିବସ ପାଳନ କରିବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଅପିଲ କରାଯାଇଛି । ଏଥିରେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । "ମାଓବାଦୀଙ୍କ ଶହୀଦଙ୍କୁ ଜୁହାର, ଆମର ଶହୀଦଙ୍କ ଅଧୁରା ସ୍ଵପ୍ନକୁ ପୂରା କରନ୍ତୁ । କଁ ରବିବାର, କଁ ଶହୀଦ, କଁ ଗୀତା , କଁ ଅଞ୍ଜଲି , କଁ ନନ୍ଦୁ ଅମର ରହେ । ଆମର ଶହୀଦଙ୍କ ଆଶାକୁ ପୂରଣ କରନ୍ତୁ । ଅଗ୍ରେସନ ସମାଧାନ ଅଭିଯାନକୁ ହରାଇବା ବ୍ରାହ୍ମଣୀୟ ଫାଶିବାଦ ମୁର୍ଦ୍ଦାବାଦ | ନବଜନବାଦୀ କ୍ରାନ୍ତି ଜିନ୍ଦାବାଦ । ବିଶ୍ଵ ସମାଜବାଦ କ୍ରାନ୍ତି ଜିନ୍ଦାବାଦ । ଆମର ସହିଦଙ୍କ ବଦଲା ନେବୁ ଓ ଦୋଷୀଙ୍କୁ ସଜା ଦେବୁ ।" କମ୍ୟୁନିଷ୍ଟ ପାର୍ଟି ( ମାଓବାଦୀ ) ଜିନ୍ଦାବାଦ ବୋଲି ବଲାଙ୍ଗୀର ବରଗଡ଼ ମହାସମୁନ୍ଦ ଡିଭିଜନ କମିଟି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ପୂର୍ବ ଥର ପରି ଏଥର ମଧ୍ୟ ରାସ୍ତା କଡ଼ରେ ଲାଲ ରଙ୍ଗର କପଡ଼ାରେ ହାତ ଲେଖା ଥିବା ଏହି ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରଟି ପ୍ରକୃତରେ ମାଓବାଦୀଙ୍କ ଲେଖା ନାଁ କୌଣସି ଦୁର୍ବୁତ୍ତ ଏପରି କାଣ୍ଡ ଭିଆଇଛି ପୋଲିସ ତାହାର ତଦନ୍ତ ଚଳାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡି ପରେ ବୌଦ୍ଧ, ବନ୍ଦ ପାଳନ ପାଇଁ ପୋଷ୍ଟର ମାରିଲା ଲାଲବାହିନୀ
ବରଗଡ଼ ଜିଲ୍ଲା ପାଇକମାଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଏଠାରେ ଏବେ CRPF ଯବାନ କ୍ୟାମ୍ପ କରି ରହିଛନ୍ତି । ମାଝି ମଝିରେ ମାଓବାଦୀ ସେମାନଙ୍କ ସ୍ଥିତି ଜାହିର କରିବାକୁ ଯାଇ ଏପରି ପୋଷ୍ଟର ଲଗାଇଥାନ୍ତି । ପୂର୍ବରୁ ମଧ୍ୟ ମାଓ ସପ୍ତାହ ପାଳନ କରିବାକୁ ଏହି ଅଞ୍ଚଳରେ ଜନସାଧାରଣଙ୍କୁ ପୋଷ୍ଟର ଜରିଆରେ ଲାଲବାହିନୀ ସଂଗଠନ ଅପିଲ କରି ଆସୁଥିଲା, ଯାହା କିଛି ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ବର୍ତ୍ତମାନ ପୁଣି ସେହି ଅଞ୍ଚଳରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ବରଗଡ଼