ବରଗଡ଼: ସ୍ଥାନୀୟ ବରପାଲି ମେହେର ପଡ଼ା ନିକଟରେ ବସକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି । ଆଜି (ରବିବାର) ଭୋର୍ରୁ ଏହି ଦୁର୍ଘଟଣା ଘଟିଛି । ବସରେ ପାଖାପାଖି 30 ଯାତ୍ରୀ ଥିଲେ । ସସସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଅନୁଯାୟୀ ଭୋରରୁ ବଲାଙ୍ଗୀରରୁ ବରଗଡ଼ ପଟକୁ ଆସୁଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଓ ବରଗଡ଼ରୁ ବଲାଙ୍ଗୀର ପଟକୁ ଯାଉଥିବା ଏକ ମାଲବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ରୁତଗତିରେ ଥିବା ଟ୍ରକ ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ବସକୁ ଧକ୍କା ଦେଇଥିଲା । ବସ୍ଟି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଯାତ୍ରୀମାନଙ୍କ ପାଇଁ ବିଦ୍ୟୁତ ତାର ବିପଦ ସାଜିଥିଲା । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସଙ୍ଗେସଙ୍ଗେ ବିଦ୍ୟୁତ ବିଭାଗ ବିଦ୍ୟୁତ ବିଛିନ୍ନ କରିବା ପରେ ଉକ୍ତ ବସରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ସ୍ଥାନୀୟ ଲୋକେ । ସମସ୍ତ ଆହତଙ୍କୁ ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି ମାତ୍ର ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ଇଟିଭି ଭାରତ, ବରଗଡ