ଦେବଗଡ: ଶ୍ବଶୁର ସାଜିଲା ଅସୁର । ଭୁଲିଗଲା ସମ୍ପର୍କର ସବୁ ସୀମା ସରହଦ । ଝିଅ ତୁଲ୍ୟ ନିଜ ବୋହୁ ସହିତ ଅନୈତିକ ସମ୍ପର୍କ ରଖି ବୋହୂକୁ ନେଇ ଫେରାର ହୋଇଗଲା ରସିକିଆ ଶ୍ବଶୁର । ସ୍ତ୍ରୀ ଓ ଏକମାତ୍ର ଝିଅକୁ ଝୁରି ଝୁରି ଦୁଃଖ ଓ ଲୋକଲଜ୍ୟା ସହିନପାରି ଆତ୍ମହତ୍ୟା କଲା ବିବାହିତ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ।
ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ସଞ୍ଜୟ ମୁଣ୍ଡା ନାମକ ଜଣେ 25 ବର୍ଷ ବୟସ୍କ ବିବାହିତ ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଯାହାକୁ ନେଇ ପରିବାର ଲୋକେ ତାଙ୍କ ବାପାଙ୍କ ସହ ବୋହୁର ଅନୈତିକ ସମ୍ପର୍କକୁ ଦାୟୀ କରିଛନ୍ତି ।
ସୂଚନା ଅନୁସାରେ, ସଞ୍ଜୟ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ କନ୍ୟା ସହ ଖୁସିରେ ରହୁଥିଲେ । ବର୍ଷକ ତଳେ ସଞ୍ଜୟଙ୍କ ମାଆ କାନ୍ଦରୀ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ମାଆଙ୍କର ମୃତ୍ୟୁ ପରେ ବାପା ବନମାଳୀ ମୁଣ୍ଡା ପୁଅ ସଞ୍ଜୟ ସହ ଏକାଠି ରହୁଥିଲେ । ଇତି ମଧ୍ୟରେ ବନମାଳୀ ଓ ସଞ୍ଜୟଙ୍କ ସ୍ତ୍ରୀ ପେଚ ମୁଣ୍ଡା ମଧ୍ୟରେ ଅନୈତିକ ସମ୍ପର୍କ ଗଢି ଉଠିଥିଲା । କିଛିଦିନ ହେଲା ଶ୍ବଶୁର ବନମାଳୀ ବୋହୁ ପେଚ ଓ ତିନି ବର୍ଷର ଛୋଟ ଶିଶୁ କନ୍ୟାକୁ ନେଇ ଘରୁ କୁଆଡେ ଫେରାର ହୋଇ ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଉଭୟଙ୍କର କୌଣସି ପତ୍ତା ନ ମିଳିବାରୁ ସଞ୍ଜୟ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସ୍ତ୍ରୀ ଓ ଛୋଟ ଝିଅ ପଳାଇ ଯିବାପରେ ସଞ୍ଜୟ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ । ସୋମବାର 5ତାରିଖ ଦିନ ଘରୁ ନିତ୍ୟକର୍ମ ପାଇଁ ଯାଇ ଆଉ ସଞ୍ଜୟ ଘରକୁ ଫେରି ନ ଥିଲେ । ତିନିଦିନ ପରେ ତାଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରେ ବାରକୋଟ ପାଖରେ ଏକ ଗାତରେ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତଦେହ ନିକଟରୁ ଏକ ଖୋଲା ବିଷ ଶିଶି ମିଳିଥିବା ବେଳେ ସେ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବାପା ପୁଅ ଓ ଶ୍ବଶୁର ବୋହୁ ଭଳି ପବିତ୍ର ସମ୍ପର୍କକୁ ଶ୍ବଶୁର ବନମାଳୀ କଳଙ୍କିତ କରିବା ପରେ ଏଭଳି ଦୁଃଖଦ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଇଟିଭି ଭାରତ, ଦେବଗଡ଼