ବରଗଡ: ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଲେ କଙ୍ଗାରୁ କୋର୍ଟ ପୀଡିତ । ଛୋଟିଆ ଗଣ୍ଡଗୋଳକୁ ନେଇ ଦୋକାନ ଗୃହକୁ ଭଙ୍ଗାରୁଜା କରିବା ପରେ କଙ୍ଗାରୁ କୋର୍ଟ କରି ଗ୍ରାମରୁ ନିଆଁ ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବରଗଡ ଜିଲ୍ଲା ଭଟଲି ବ୍ଲକ କାଶିପାଲି ଗ୍ରାମର 3ଟି ପରିବାର । ସୋମବାର ଏ ନେଇ ବରଗଡ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ପହଞ୍ଚିଥିଲେ କାଶିପାଳି ଗ୍ରାମର ରଞ୍ଜନ ବଞ୍ଚୋର ଏବଂ ତାଙ୍କ ସମ୍ପର୍କୀୟ ପରିବାର ଲୋକେ ।
କାଶିପାଲିର ରଞ୍ଜନ ବଞ୍ଚୋରଙ୍କ ସମ୍ପର୍କୀୟ ସହିତ ଗଣ୍ଡଗୋଳ କରିବା ପରେ ରାସ୍ତା କଡରେ ରହିଥିବା ତାଙ୍କର ଦୋକାନ ଗୃହକୁ ଗ୍ରାମବାସୀ ଭାଙ୍ଗି ଦେଇଥିଲେ । ଏହା ପରେ ଗ୍ରାମରେ ଏକ ବୈଠକ କରି ଉକ୍ତ ପରିବାରକୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଏପରିକି ଗ୍ରାମର ଅନ୍ୟମାନଙ୍କ ସହିତ କଥାବାର୍ତ୍ତାକୁ ବାରଣ କରିବା ସହିତ ନିଆଁପାଣିକୁ ମଧ୍ୟ ବାସନ୍ଦ କରାଯାଇଛି । ଉକ୍ତ ଘଟଣାକୁ ନେଇ କାଶିପାଳି ଗ୍ରାମର 3ଟି ପରିବାରର ସଦସ୍ୟ ମାନେ ଭଟଲି ଥାନାର ଦ୍ଵାରସ୍ଥ ହୋଇଥିଲେ । ମାତ୍ର ଭଟଲି ପୋଲିସ ଠାରୁ କୌଣସି ସାହାଯ୍ୟ ସହଯୋଗ ନ ମିଳିବାରୁ ସୋମବାର ବରଗଡ ଜିଲ୍ଲାପାଳ ଓ ଆରଖି ଅଧିକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି ଏହି ପରିବାର । ସେପଟେ ଘଟଣାକୁ କେନ୍ଦ୍ର କରି ଭଟଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ