ବରଗଡ: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ଥିଲେ ମୂକ ବାକ୍ ଶକ୍ତି ଲାଭ କରିବା ସହ ପଙ୍ଗୁ ବି ଗିରି ଲଙ୍ଘି ପାରେ । ଏହା ସାବ୍ୟସ୍ତ କରିଛନ୍ତି ବରଗଡ ଜିଲ୍ଲାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ସେ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ଅର୍ଜୁନ ପୁରସ୍କାର ପାଇବେ |
ଓଡିଶାର ବରଗଡ ଜିଲ୍ଲା ଅତାବିରାର ପ୍ରମୋଦ ଭଗତ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ସ୍ଵଭାବିକ ଦକ୍ଷ ଖେଳାଳିଙ୍କ ଠାରୁ କମ ନୁହଁନ୍ତି | ସେ ବହୁ ସ୍ଵଭାବିକ ଦକ୍ଷ ବ୍ୟାଡମିଣ୍ଟନ ଖେଳାଳି ମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ପରାସ୍ତ କରିଛନ୍ତି । ଆଜି ସେ ଜାତୀୟ- ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଅନେକ ପଦକ ଜିତି ଦେଶର ନାଁ ଗର୍ବିତ କରି ଆସୁଛନ୍ତି ।
ପିଲାଟି ଦିନରୁ ତାଙ୍କର କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଫଳରେ ଆଜି ପ୍ରମୋଦ ତାଙ୍କର ବହୁ ଦିନର ସ୍ବପ୍ନ ପୂରା କରିଛନ୍ତି । ପ୍ରମୋଦ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ପ୍ରତିଭାକୁ କେହି ମଧ୍ୟ ଚିହ୍ନି ପାରିନଥିଲେ । ହେଲେ ପ୍ରମୋଦ ନିଜକୁ କେବେ ଅକ୍ଷମ ବୋଲି ଭାବିନଥିଲେ ଏବଂ ବ୍ୟାଡମିଣ୍ଟନ ଖେଳକୁ ନିଜର ନିଶାରେ ପରିଣତ କରି ଆଗକୁ ବଢିଚାଲିଥିଲେ |
ପ୍ରଥମେ ବ୍ୟାଡମିଣ୍ଟନ ଖେଳ ପାଇଁ ପ୍ରମୋଦଙ୍କ ପାଇଁ ଅର୍ଥ ସାଜିଥିଲା ବାଧକ । ତାଙ୍କର ଦକ୍ଷତାକୁ ଦେଖି ଏକ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂର ସୁଯୋଗ ମିଳିପାରିଥିଲା । ଫଳରେ ଭଲ ଇନଡୋର କୋର୍ଟରେ ମ୍ୟାଚ ଅଭ୍ୟାସର ସୁଯୋଗ ମିଳିପାରିଥିଲା ।
ଏହାପରେ ସେ କେବେ ବି ପଛକୁ ଫେରି ଚାହିଁ ନାହାଁନ୍ତି | ଫଳରେ ଆଜି ସେ ଜଣେ ଅର୍ଜୁନ ପୁରସ୍କାର ପାଇବାର ଯୋଗ୍ୟତା ହାସଲ କରିପାରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ