ବରଗଡ: କୋରୋନା ମହାମାରୀ ସମୟରେ ବହୁ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗେଇ ଦେବା ପାଇଁ ବହୁ ସମାଜସେବୀ ହାତ ବଢାଇଥିବା ବେଳେ କରୋନା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ଭାବରେ ଲଢୁଥିବା ବହୁ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ମଧ୍ୟ ଲୋକେ ଚିନ୍ତିତ ଅଛନ୍ତି । ତେଣୁ ପୋଲିସ, ଡାକ୍ତର , ସଫେଇ କର୍ମଚାରୀ ଏବଂ ସାମ୍ବାଦିକଙ୍କୁ ବହୁ ଅନୁଷ୍ଠାନ ମାସ୍କ ଓ ସାନିଟାଇଜର ଯୋଗେଇ ଦେଉଥିବା ବେଳେ ବରଗଡର ସରକାରୀ ITI ପକ୍ଷରୁ ମଧ୍ୟ ନିଆରା ପଦକ୍ଷେପ ନିଆଯାଇଛି ।
ଏହି ITI ର କର୍ମଚାରୀମାନେ ନିଜ ଖର୍ଚ୍ଚ ଏବଂ ଦକ୍ଷତାରେ କୋରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ଏକ ଛୋଟିଆ ପ୍ରୟାସ କରିଛନ୍ତି । କୋରୋନା ଯୋଦ୍ଧାଙ୍କ ପାଇଁ ମାସ୍କ ନିହାତି ଆବଶ୍ୟକ ହେଉଥିବା ବେଳେ ମାସ୍କ ଠାରୁ ମଧ୍ୟ ଅଧିକ ସୁରକ୍ଷା ପ୍ରଦାନ କରୁଥିବା ଏକ ଫେସ ସିଲ୍ଡ ତିଆରି କରି ନିଶୁଳ୍କ ବଣ୍ଟନ କରୁଛନ୍ତି ।
ତେବେ ସାଧାରଣ ମାସ୍କ କେବଳ ପାଟି ଓ ନାକକୁ ସୁରକ୍ଷା ଦେଉଥିବା ବେଳେ ଏହି ଫେସ ସିଲ୍ଡ ଆଖି ଓ କାନ ସହିତ ସମଗ୍ର ମୁହଁକୁ ବାହ୍ୟକାରକ ଠାରୁ ରକ୍ଷା କରିବ । ଯାହାକୁ ବରଗଡ ସରକାରୀ ITI ର କର୍ମଚାରୀମାନେ ପ୍ରଥମେ ପୋଲିସ ବିଭାଗରେ କାର୍ଯ୍ୟରତ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ଏହି ଫେସ ସିଲ୍ଡକୁ ବଣ୍ଟନ କରିଥିବା ଦେଖିବାକୁ ମିଳିଛି ।
ବରଗଡରୁ ରାଜେସ ସରାବ, ଇଟିଭି ଭାରତ