ବରଗଡ: କଥାରେ ଅଛି 'ଜଳ ହିଁ ଜୀବନ' । ଏହା ବିନା ଜୀଇଁବା ଅସମ୍ଭବ । ମାତ୍ର ଯଦି ଜୀବନ ବିଷ ପାଲଟିଯାଏ ତେବେ ମଣିଷ ବଞ୍ଚିବ କିପରି ? ଏପରି କିଛି ଘଟିଛି ଡାଙ୍ଗବାହାଲ ଗ୍ରାମବାସୀଙ୍କ ସହ । ଏହି ସମସ୍ୟା ଏତେ ବଢିଯାଇଛି ଗାଁରେ କାହାର ବିବାହ ହୋଇପାରୁନି। ଏପରିକି ଏହି ପାଣି ପାଇଁ କାହା ଘରକୁ ବନ୍ଧୁବାନ୍ଧବ ବି ଆସୁନାହାନ୍ତି ।
ହେଭିୱେଟଙ୍କ ଫୋକସରେ ଥିବା ବିଜେପୁରର ଗାଇସିଲେଟ ବ୍ଲକରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଏହି ଗ୍ରାମ | ଏଠାରେ ୩୩୦ ପରିବାରର ୧୨୬୦ ଲୋକ ବାସକରୁଥିବା ଏହି ଗାଁରେ ୬୩୪ ଜଣ ପୁରୁଷ ଓ ୬୨୬ ମହିଳା ରୁହନ୍ତି। ଜଳର ଆବଶ୍ୟକତା ପୂରଣ ପାଇଁ ଗାଁରେ ୨ ଟି କୂଅ, 3 ପୋଖରୀ ଓ ୧୩ ଗୋଟି ଗଭୀର ନଳକୂପ ରହିଛି ।ହେଲେ ଶୋଷ ମେଣ୍ଟାଇବାକୁ ମିଳୁନି ଗିଲାସେ ବିଶୁଦ୍ଧ ପାଣି ।
ଏଠାକାର ମାଟିତଳୁ ବାହାରୁଛି ବିଷାକ୍ତ ଫ୍ଲୋରାଇଡ ପାଣି । ଏହାକୁ ପିଇ କାହାର ଗୋଡ ହାତ ବଙ୍କା ହେଇଯାଉଛି ତ କାହାକୁ କିଡନୀ ରୋଗ ହେଉଛି। ଆଉ ଦାନ୍ତ ସମସ୍ୟା ଆପଣଙ୍କ ସାମ୍ନାରେ । ସେପଟେ ପ୍ରତିଦିନ ଏହି ପାନୀୟ ରୂପକ ଜହର ପିଇ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ମରଣ ସହ ଲଢୁଛନ୍ତି । ଏପଟେ ତୁହାକୁ ତୁହା ନିର୍ବାଚନ ହେଉଛି । ଭୋଟ ପାଇଁ ନେତାଠୁ ଅଭିନେତାଙ୍କ ଲମ୍ବା ଲାଇନ ଲାଗୁଛି । କିନ୍ତୁ ପାଣି ପାଳି ଆସିଲେ ସବୁ ପଛେଇଯାଉଛନ୍ତି ।
ଦୀର୍ଘ ବର୍ଷ ଧରି ଗାଁ ଲୋକେ ପିଇବା ପାଣିର ସମସ୍ୟା ଭୋଗୁଥିଲେ ସୁଦ୍ଧା ସରକାର ବିଫଳ ହୋଇଛନ୍ତି ଏହି ଗାଁକୁ ସ୍ବଚ୍ଛ ପାନୀୟଜଳ ଟିକେ ଯୋଗେଇବା ଲାଗି । ତେବେ ଅଙ୍ଗ ନଦୀ ଏହି ଗାଁ ପାଇଁ ଆର୍ଶୀବାଦ ହୋଇଥିଲେ ବି ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅବହେଳା ଯୋଗୁଁ ସଢୁଛନ୍ତି ଏଠାକାର ଲୋକ ।
ରାଜନୀତିକୁ ନୂଆ ମୋଡ ଦେଇଥିବା ବିଜେପୁରର ଗାଁରେ ଯଦି ଲୋକେ ଏତେ କଲବଲ ତେବେ ଅନ୍ୟ ଯାଗାରେ କେତେ ଦୂର ପ୍ରତିଶ୍ରୃତି ପୂରଣ ହେଉଥିବ ତା ଅନୁମେୟ...
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ