ବରଗଡ: ବରଗଡ ଜିଲ୍ଲାରେ ଗତ ଦୁଇଦିନ ହେଲା ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବହୁ ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ବହୁ ପୋଲ ଉପରେ ନଦୀର ପାଣି ଚାଲୁଥିବାରୁ ଲୋକଙ୍କ ଯାତାୟାତ ବନ୍ଦ ହୋଇପଡିଛି | ବରପାଲି ବ୍ଲକ କୁମ୍ଭାରୀ ଓ ରେମତାକୁ ସଂଯୋଗ କରୁଥିବା ବୁରୋଗାଡ଼ ନଦୀର ପାଣି ବୃଦ୍ଧି ପାଇ ପୋଲ ଉପର ଦେଇ ପାଣି ଯାଉଛି । କୁମ୍ଭାରୀ ଓ ଆଖପାଖ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।
ଏପରିକି, ଏହି ଅଞ୍ଚଳର ବହୁ ଚାଷୀଙ୍କ ଚାଷ ଜମି ବଢି ପାଣିରେ ବୁଡି ରହିଛି | କୁମ୍ଭାରୀ ଅଞ୍ଚଳରେ ପ୍ରତିବର୍ଷ ବନ୍ୟା ପାଣି ଆସିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ବହୁ ଧନ ଜୀବନ ପ୍ରଭାବିତ ହୋଇଥାଏ । ବର୍ଷା ଦିନେ ଏଠାକାର ଲୋକେ ଜଳବନ୍ଦୀରେ ରହିଥାନ୍ତି। ଏନେଇ ଏକ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି ଅଞ୍ଚଳବାସୀ । ହେଲେ ଏପର୍ଯ୍ୟନ୍ତ କୈଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି ।
ସଦର ବ୍ଲକ ଗୁଡ଼େଇଶିରା ଗାଁ ଅଞ୍ଚଳର ତଳିଜୋର ଠାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଶହଶହ ଏକର ଚାଷ ଜମି ଉପରେ ପାଣି ମାଡିଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଦ୍ଵାର ମଧ୍ୟ ଭାଙ୍ଗିଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ