ବରଗଡ: ରବି ଋତୁ ଫସଲର ଧାନ ସଂଗ୍ରହ ପାଇଁ ବରଗଡ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି କିନ୍ତୁ ଶ୍ରମିକ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବି ପାଳନ ହୋଇନାହିଁ । ଜିଲ୍ଲାରେ ଧାନ ମଣ୍ଡି ଖୋଲିବାର ତିନିଦିନ ବିତିଗଲା ହେଲେ ଶ୍ରମିକ ଓ ହାରଭେଷ୍ଟର ଡ୍ରାଇଭର ସମସ୍ୟା ମୁଣ୍ଡ ଟେକିଛି ।
ବରଗଡ ଜିଲ୍ଲାରେ ରବି ଋତୁ ଫସଲ ଅମଳ ସମୟ ଚାଲିଛି କିନ୍ତୁ ଚାଷୀ କେମିତି ଧାନ ଅମଳ କରିବେ ଓ କିଭଳି ମଣ୍ଡିରେ ବିକ୍ରି କରିବେ ସେ ନେଇ ଚିନ୍ତାରେ ଚାଷୀ । ଏ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗ୍ରାମର ଚାଷୀମାନେ | ଜିଲ୍ଲାର ହୀରାକୁଦ କମାଣ୍ଡ ଏରିଆରେ ଧାନ ମଣ୍ଡି ଖୋଲିବାର ତିନିଦିନ ବିତିଗଲା ହେଲେ ଜିଲ୍ଲାରେ ଶ୍ରମିକ ଓ ହାରବେଷ୍ଟର ଡ୍ରାଇଭର ସମସ୍ୟା ମୁଣ୍ଡ ଟେକିଛି । ଶ୍ରମିକ ଅଭାବରୁ କ୍ଷେତରୁ ଧାନ କାଟି ପାରୁନାହାନ୍ତି ଚାଷୀ । କୋରୋନା ମହାମାରୀ ଭୟ ଓ ଲକଡାଉନ ଯୋଗୁ ଛତିଶଗଡ଼ ରାଜ୍ୟ ଓ ବାହାର ଜିଲ୍ଳାର ଶ୍ରମିକ ମାନେ କାମ କରିବାକୁ ମନାକରି ଦେଉଛନ୍ତି |
ଏ ଭଳି ସମୟରେ କୃଷି କ୍ଷେତ୍ରରେ ଉପୁଜିଥିବା ଶ୍ରମିକ ସମସ୍ୟାର ସମାଧାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର କରାନଗଲେ ବହୁ ଚାଷୀଙ୍କ ସୁନାର ଫସଲ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତେବେ ସମୟ ପୂର୍ବରୁ ଏହି ଶ୍ରମିକ ସମସ୍ୟାର ସମାଧାନ କରିବାପାଇଁ ଦାବି କରିଛନ୍ତି ଚାଷୀ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ