ବରଗଡ: ଆସନ୍ତା ନଭେମ୍ବର ୧୦ ତାରିଖରୁ ବରଗଡ଼ରେ ଆରମ୍ଭ ହେବ ଖରିବ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ଚାଷୀ, ପ୍ରଶାସନ ଏବଂ ମିଲର୍ସ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନର ଟୋକନ ବ୍ୟବସ୍ଥାକୁ ଚାଷୀବିରୋଧ କରିଥିବା ବେଳେ୍ ଧାନ ବସ୍ତାଦେବା ଏବଂ ଧାନର ମାନ ନିର୍ଣ୍ଣୟ ତୁଲାଇବାକୁ ମିଲର୍ସ ସଫାସଫା ମନା କରିଦେଇଥିଲେ ।
ଚଳିତ ଖରିବ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ସରକାର ଏଥର ଟୋକନର ବ୍ୟବସ୍ଥା କରିଛନ୍ତି ବୋଲି ବୈଠକରେ କୁହାଯିବା ପରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଚାଷୀମାନେ ଏହାକୁ ବିରୋଧ କରିବାପରେ ଶେଷରେ ଏହା ଟ୍ରାଏଲ ପାଇଁ କରାଯାଉଛି ଓ ଚାଷୀଙ୍କ ଅସୁବିଧା ହେଲେ ଏହି ପ୍ରକ୍ରିୟା ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସେହିପରି ମାର୍କେଟ ୟାର୍ଡ ଗୁଡିକରେ ଧାନ ଓଜନ ହେବାର ନିୟମ ରହିଥିଲେ ମଧ୍ୟ ତାହାକୁ ମିଲର୍ସ ଗ୍ରହଣ କରୁନାହାନ୍ତି ଏବଂ ଚାଷୀଙ୍କୁ ତାଙ୍କର ବସ୍ତା ଫେରସ୍ତ ଦିଆଯାଉନଥିବା ଅଭିଯୋଗ ହୋଇଥିଲା ।
ତେବେ ମିଲର୍ସ ବସ୍ତା ଦେବାର ନିୟମ ନାହିଁ ତ କାହିଁକି ସେମାନେ ବସ୍ତା ଦେବେ ବୋଲି କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ଏବଂ କୃଷି ବିଭାଗର କୌଣସି ତଥ୍ୟର ତାଳମେଳ ସଠିକ୍ ରହୁନଥିବା ନେଇ ଅଧିକାରୀ ମାନଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ଏହି ବୈଠକରେ । ତେବେ ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ବୈଠକରେ ଏହା ପ୍ରଥମ ମିଟିଂ ହୋଇଥିବା ବେଳେ ଏପରି ଖାମଖିଆଲି ବୈଠକ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
ବରଗଡରୁ ରଜେଶ ସରାପ, ଇଟିଭି ଭାରତ