ବରଗଡ: ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢିଚାଲିଛି ଅସମାଜିକ ଲୋକଙ୍କ ଦୌରାତ୍ମ୍ୟ । ଏପରି ସ୍ଥିତିରେ ପୋଲିସର ନିଷ୍କ୍ରିୟତା ସମାଜରେ ଲୋକଙ୍କୁ ବିପଦ ଆଡକୁ ଠେଲି ଦେଉଛି । ଫଳରେ ଏହି ଅଞ୍ଚଳରେ କେହି ବି ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଚୋର ଓ ଠକମାନଙ୍କର ସାହସ ଏତେ ବଢିଲାଣି ଯେ କାହାକୁ ବି ଆଉ ଖାତିର କରୁନାହାନ୍ତି ସେମାନେ ।
ତେଣେ ଥାନା ଭିତରେ ପୋଲିସ ସମ୍ମୁଖରେ ମଧ୍ୟ ଚୋରଙ୍କ ଉତ୍ପାତ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ବୁଡେନ ଥାନା ଭିତରେ ପୋଲିସ ଗିରଫ କରି ରଖିଥିବା ଜଣେ ଚୋରର ଫଟୋ ଉତ୍ତୋଳନ କରିବାକୁ ଯାଇଥିବା ସମ୍ବାଦିକଙ୍କୁ ପୋଲିସ ଆଗରେ ଦୁର୍ବ୍ୟବହାର କରୁଥିବା ଘଟଣା ସାମନାକୁ ଆସିଛି ।
ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦରଳିଗୁଡା ଗ୍ରାମର ନିର୍ମଳ ବାରିକ ନିଜକୁ କେବେ ସାମ୍ବାଦିକ ତ ଆଉ କେବେ ଓକିଲ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ବେଳେ ଆଜି ପୋଲିସ ହାତରେ ଏକ ସୁନା ଚୋରୀ ମାମଲାରେ ଧରାପଡିଛି । ବୁଡେନ ଥାନାରେ ଜଣେ ବ୍ୟକ୍ତିଙ୍କ ଘରେ 15 ଭରି ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।
ତେବେ ଦୀର୍ଘ ଦିନ ପରେ ଚୋରି କରାଯାଇଥିବା ସୁନା ଅଳଙ୍କାରକୁ ପଦ୍ମପୁରର ଏକ ସୁନା ଦୋକାନରେ ବିକ୍ରି କରୁଥିବା ବେଳେ ପୋଲିସ ନିର୍ମଳ ବାରିକକୁ ଗିରଫ କରି ସୁନା ଦୋକାନରୁ ଚୋରି ଅଳଙ୍କାର ସବୁ ଜବତ କରିଛି । ଏହି ଚୋରି ମାମଲାରେ ବୁଡେନ ପୋଲିସ ନିର୍ମଳ ବାରିକଙ୍କୁ ଗିରଫ କରି ଥାନାରେ ରଖିଥିବା ବେଳେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ସମ୍ପୃକ୍ତ ଚୋର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ