ବରଗଡ: ସାରା ରାଜ୍ୟରେ କୋରୋନା ଭ୍ୟାକ୍ସିନ ଆସିବା ପୂର୍ବରୁ ଜିଲ୍ଲା ମୁଖ୍ୟାଳୟ ଗୁଡିକରେ ଡ୍ରାଏ ରନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆରମ୍ଭ ହୋଇଛି କୋଭିଡ଼-19 ମୁକାବିଲା ପାଇଁ ଡ୍ରାଏ ରନ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଥିବାବେଳେ 25ଜଣ କର୍ମଚାରୀଙ୍କୁ ଭ୍ୟାକ୍ସିନ ଦେବା ପାଇଁ ଡେମୋ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର 25 ଜଣ ସ୍ୱାସ୍ଥ୍ୟକର୍ମୀ ଆଜିର ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ପାଞ୍ଚ ଜଣିଆ ଟିମ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଯାଞ୍ଚରେ ରହିଥିବାବେଳେ କିଭଳି ଲୋକଙ୍କୁ ଭ୍ୟାକ୍ସିନ ସୁରକ୍ଷିତ ଭାବରେ ଦିଆଯିବ, ସେନେଇ ଚାଲିଥିଲା ପ୍ରସ୍ତୁତି । ତେବେ ପ୍ରଥମ ପର୍ଯ୍ୟାୟରେ ବରଗଡ ଜିଲ୍ଲାର ସମୁଦାୟ 10898 ଜଣ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କର୍ମୀ ଏହି ଭ୍ୟାକ୍ସିନ ନେବା ପାଇଁ ପଞ୍ଜିକୃତ ହୋଇଥିବାବେଳେ ଭ୍ୟାକ୍ସିନ ଆସିବା ପୂର୍ବରୁ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ