ବରଗଡ: ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଯାଇଛି । ଯେଉଁଥିରେ ବରଗଡ ବିଧାୟକ, ବରଗଡ ଏସପି, ଜିଲ୍ଲାପାଳ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନ ଏବଂ NGOs ମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିର କୋଭିଡ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଲକ୍ଷଣ ଥିବା ରୋଗୀଙ୍କୁ ଆଉ ଆଗ ପରି କୋଭିଡ କେୟାରକୁ ନନେଇ ଘରେ ଆଇସୋଲେସନରେ ମଧ୍ୟ ରହିପାରିବେ ।
ଜିଲ୍ଲାରେ ୭୦୦କୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଯିବା ପରେ ବରଗଡ ଜିଲ୍ଲାରେ ଟେଷ୍ଟିଂ ପ୍ରକ୍ରିୟାକୁ ନେଇ ନୂତନ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ପ୍ରତ୍ୟେକ PHC, CHC, SDHରେ ମଧ୍ୟ କୋରୋନା ଟେଷ୍ଟ ମାଗଣାରେ ହେବ । ଆଜି ପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଟେଷ୍ଟ କରାଯାଇଥିବାବେଳେ ୭୦୦ ଜଣଙ୍କର ପଜିଟିଭ ବାହାରିଛନ୍ତି । ମାତ୍ର ଏଣିକି ଟେଷ୍ଟିଂରେ ଅଧିକ ଗୁରୁତ୍ଵ ଦିଆଯିବ ଏବଂ ଶୀଘ୍ର ଶୀଘ୍ର ପଜିଟିଭ କେସ ଗୁଡିକୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖିାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜନ ସାଧାରଣଙ୍କୁ ମଧ୍ୟ ଜିଲ୍ଲପାଳ ଅପିଲ କରିଛନ୍ତି ଯେ ଅଧିକରୁ ଅଧିକ ସଂଖ୍ଯାରେ ଲୋକେ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ବରଗଡରେ ପ୍ରତିଦିନ ମାଗଣାରେ କୋରୋନା ଟେଷ୍ଟ କରାଯିବ ଏବଂ ସମସ୍ତ ସଙ୍ଗଠନମାନଙ୍କୁ ମଧ୍ୟ ଲୋକଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ବରଗଡରୁ ରାଜେସ ସରାଫ, ଇଟିଭି ଭାରତ