ବରଗଡ: କୋରୋନାର ମୁକାବିଲା ପାଇଁ ବରଗଡ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇଛି । ଲୋକଙ୍କୁ କିପରି କୋରୋନା ସମ୍ପର୍କରେ ସଚେତନ କରିହେବ ଏନେଇ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି ।
ସେହିପରି ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି । ସମସ୍ତ ସ୍କୁଲ ଓ କଲେଜକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିବାବେଳେ ବିଭିନ୍ନ ଭୋଜି, ବିବାହ ଭୋଜି, ସିନେମା ହଲ, ସଭାସମିତିକୁ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି l
ଅନ୍ୟପଟେ ଜିଲ୍ଲାସ୍ତରୀୟ ଜନଶୁଣାଣିକୁ ବାତିଲ କରାଯିବା ସହ ଡାକବାଜି ଯନ୍ତ୍ର ଦ୍ବାରା ଜିଲ୍ଲା ତମାମ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷି ଅଧୀକ୍ଷକ ଓ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାଥାଉକି, କାରୋନା ମହାମାରୀକୁ ରୋକିବା ପାଇଁ ଓ ଏହାର ପ୍ରତିକାର ପାଇଁ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫେରେନ୍ସ ଜରିଆରେ ବୈଠକ କରିଛନ୍ତି ।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ