ବରଗଡ: ଲକଡାଉନ ସମୟରେ ବରଗଡରେ ବଧୂ ହତ୍ୟା ଘଟଣା ସାମ୍ନାକୁ ଆସିଥିବା ବେଳେ ବରଗଡ ସଦର ପୋଲିସ ଦୋଷୀମାନଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ଝିଅ ଘର ଲୋକେ ବରଗଡ ଏସପିଙ୍କ ନିକଟରେ ଏହି ଅଭିଯୋଗ ଆଣିଛନ୍ତି । ଝିଅ ପରିବାର ଝାରସୁଗୁଡା ଜିଲ୍ଲା ସରବାହାଲର ହୋଇଥିବା ବେଳେ ବରଗଡ ଚକରକେନ୍ଦ ଗ୍ରାମର ରୋମାଞ୍ଚଳ ମେହେରଙ୍କୁ ଗତ 12 ବର୍ଷ ତଳେ ବାହା କରାଇଥିଲେ ।
ମାତ୍ର ତାଙ୍କର କୌଣସି ସନ୍ତାନ ହେଉନଥିବା କାରଣରୁ ଝିଅ ଜମ୍ବୋବତୀ ମେହେରଙ୍କୁ ବାରମ୍ବାର ଅତ୍ୟାଚାର କରିବା ସହିତ ଯୌତୁକ ନିର୍ଯାତନା ଦେଉଥିବା ବେଳେ ଶେଷରେ ତାଙ୍କୁ ହତ୍ୟା କରି ନିଆଁରେ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ୟପଟେ ଏହି ଘଟଣାକୁ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ସଦର ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ନେଇ ପରିବାର ଲୋକେ ଏସପିଙ୍କୁ ଜଣାଇଛନ୍ତି । ଝିଅର ସ୍ଵାମୀ ରୋମାଞ୍ଚଳ ମେହେର ପୂର୍ବରୁ ମଧ୍ୟ ବାହା ହୋଇଥିଲେ ଏବଂ ଯୌତୁକ ନିର୍ଯାତନା କାରଣରୁ ତାଙ୍କର ପୂର୍ବ ସ୍ତ୍ରୀ ଛାଡପତ୍ର ଦେଇ ଚାଲି ଯାଇଥିଲେ | ଦ୍ଵିତୀୟ ବିବାହ ପରେ ପୁଣି ନିର୍ଯାତନା ଓ ହତ୍ୟାକାଣ୍ଡ ଘଟାଇଥିବା ରୋମାଞ୍ଚଳ ମେହେର ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ଝିଅର ପରିବାର ଲୋକେ ।
ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ