ବରଗଡ଼: ଆଜି କାଳିଆ ଚାଷୀ ମହାସମାବେଶରେ ଯୋଗ ଦେବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଆସୁଛନ୍ତି। 11ଟା 30ରେ ସୋହେଲା ବ୍ଲକ ଇଚ୍ଛାପାଲି ଠାରେ ବିଶାଳ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ମୋଟ 2010.84 କୋଟି ଟଙ୍କା ବରଗଡ଼ ଜିଲ୍ଲାକୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ 515 କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟରେ ନିର୍ମିତ 17ଟି ପ୍ରକଳ୍ପ ଆଜି ହିଁ ଉଦଘାଟନ କରିବେ । ଏଥିସହ 1495 କୋଟି ଟଙ୍କା ବିନିମୟରେ ହେବାକୁ ଥିବା 32ଟି ପ୍ରକଳ୍ପର ଶୁଭ ଦେବେ।ଏହା ଭିତରେ 1340 କୋଟି 55 ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ସାମିଲ ଅଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସୋହେଲା, ବରପାଲୀ, ବିଜେପୁର ବ୍ଲକର 25 ହଜାର 600 ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିପାରିବ।
ଏହାସହ 455 କୋଟି 66 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୋହେଲା-ନୂଆପଡ଼ା ରୋଡ଼୍ ବିଜୁ ଏକ୍ସପ୍ରେସ ୱେର ଆଜି ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି କିଛି ବିଦ୍ୟୁତ୍ ପ୍ରକଳ୍ପ, ଚିକିତ୍ସା କେନ୍ଦ୍ର, ଛାତ୍ରୀ ନିବାସ, ଗୋଦାମ ଗୃହ ଆଦିର ମଧ୍ୟ ଆଜି ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଘେଁସ ଠାରେ ପଦ୍ମଶ୍ରୀ ହଳଧର ନାଗ କୋଶଳୀ/ସମ୍ବଲପୁରୀ ସାହିତ୍ୟ ଗବେଷଣା କେନ୍ଦ୍ର, 6ଟି ଆଦର୍ଶ ବିଦ୍ୟାଳୟ ଭଳି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ଜିଲ୍ଲାର ହଜାର ହଜାର ଚାଷୀ ଋଣ ଛାଡ଼ ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରାଯିବା ଆଶାରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅଭିଭାଷଣରେ ନିଶ୍ଚିତ ବରଗଡ଼ବାସୀଙ୍କ ପାଇଁ କିଛି ବଡ଼ ଘୋଷଣା କରିବେ ବୋଲି ସମସ୍ତ ଅନାଇ ବସିଛନ୍ତି। ଏ ଭିତରେ କ୍ୟାନ୍ସର ହସ୍ପିଟାଲ ଦାବି ମଧ୍ୟ ରହିଛି।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ